ସମୁଦ୍ର ପତ୍ତନଠାରୁ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌

ଓ୍ବାଶିଂଟନ,୧।୬: କରୋନା ସଂକ୍ରମଣ ନେଇ ପୃଥିବୀର ବିଭିନ୍ନ ଦେଶରେ ନାନା ପ୍ରକାର ଗବେଷଣା ଜାରି ରହିଛି। ସମୁଦ୍ର ପତ୍ତନଠାରୁ ଅଧିକ ଉଚ୍ଚରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା କମ୍‌ ରହିଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଏନେଇ ଏକ ରିପୋର୍ଟ ରେସ୍ପିରାଟୋରି ଫିଜିଓଲୋଜି ଆଣ୍ଡ୍‌ ନ୍ୟୁରୋବାୟୋଲୋଜି ପତ୍ରିକାରେ ପ୍ରକାଶ ପାଇଛି। ଏହି ପତ୍ରିକାର ସମୀକ୍ଷା ଗଣମାଧ୍ୟମ ସଂସ୍ଥା ଦି ଓ୍ବାଶିଂଟନ ପୋଷ୍ଟ୍‌ ଦ୍ୱାରା କରାଯାଇଛି। ପତ୍ରିକାରେ ଉଲ୍ଲେଖ କରାଯାଇଛି ଯେ, ସମୁଦ୍ର ପତ୍ତନଠାରୁ ୩ ହଜାର ମିଟର ଉପରେ ବାସ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ଯଥେଷ୍ଟ କମ୍‌ ରହିଥାଏ। ଅଷ୍ଟ୍ରେଲିଆ, ବଲିଭିଆ,କାନାଡ଼ା ଏବଂ ସ୍ବିଜରଲାଣ୍ଡର ଗବେଷକ ମିଳିତ ଭାବେ କରୋନା ସଂକ୍ରମଣ ଉଚ୍ଚତା ଭିତ୍ତିରେ କିଭଳି ବ୍ୟାପୁଛି ତାହା ଅଧ୍ୟୟନ କରିଛନ୍ତି। ବଲିଭିଆ, ଇକ୍ୱାଡୋର୍‌ ଏବଂ ତିବ୍ବତରୁ ସଂଗ୍ରହ ହୋଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, ଅଧିକ ଉଚ୍ଚତାରେ କରୋନା ଭୂତାଣୁ ସଂକ୍ରମଣ ଭଳି ମହାମାରୀର ଆଶଙ୍କା କମ୍‌ ରହିଥାଏ। ଅପରପକ୍ଷରେ ସମୁଦ୍ର ପତ୍ତନଠାରୁ କମ୍‌ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ଏଭଳି ସଂକ୍ରମଣ ହାର ଅଧିକ ରହିଥାଏ। ଚାଇନାର ତଳିଆ ଅଞ୍ଚଳରେ କରୋନା ସଂକ୍ରମଣ ହାର ଅଧିକ ଥିବାବେଳେ ତିବ୍ବତରେ ଏହା କମ୍‌ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ସମୁଦ୍ର ପତ୍ତନଠାରୁ ଉଚ୍ଚରେ ଥିବା ପେରୁର କ୍ୟୁସକୋ ଅଞ୍ଚଳରେ ବାସ କରୁଥିବା ୪ ଲକ୍ଷ ୨୦ ହଜାର ବାସିନ୍ଦାଙ୍କ ମଧ୍ୟରେ କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୩ ରହିଛି। ଏଠାକାର ଅନ୍ୟ ତଳିଆ ଅଞ୍ଚଳ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଏନେଇ ଅଧିକ ଅଧ୍ୟୟନ ଜାରି ରହିଥିବା ଗବେଷକ ସୂଚିତ କରିଛନ୍ତି।

Share