Categories: ଜାତୀୟ

ସମୁଦ୍ର ପଥରେ ଆତଙ୍କବାଦୀ

ନୂଆଦିଲ୍ଲୀ/ମୁମ୍ବାଇ,୧୦ା୮: ଅନୁଚ୍ଛେଦ ୩୭୦କୁ ହଟାଇ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ପରେ ଉପତ୍ୟକାରେ ଭାରତର ବଳ ବୃଦ୍ଧି ପାଇଛି। ଏହାସହ ବିଚ୍ଛିନ୍ନତାବାସୀଙ୍କୁ ମୋହରା କରି କଶ୍ମୀରରେ ଉତ୍ତେଜନା ସୃଷ୍ଟି ଏବଂ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇ ଆକ୍ରମଣ ଘଟାଉଥିବା ପାକିସ୍ତାନ ଏବେ ବିଚଳିତ ହୋଇପଡ଼ିଛି। ଏଥିପାଇଁ ପୁଲଓ୍ବାମା ଭଳି ଆକ୍ରମଣ ପୁଣି ଘଟିବ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦୁଇଦିନ ତଳେ ଭାରତକୁ ଧମକ ଦେଇଥିଲେ। ଏଭଳି ସମୟରେ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଥିବାବେଳେ ପାକିସ୍ତାନର ଜୈଶ୍‌-ଇ-ମହମ୍ମଦ (ଜେଇଏମ୍‌) ଏବଂ ଲଶ୍କର-ଇ-ତୋଇବା (ଏଲ୍‌ଇଟି) ଭଳି ଆତଙ୍କବାଦୀ ଭାରତରେ ଆକ୍ରମଣ ପାଇଁ ଜଳପଥକୁ ବାଛିଛନ୍ତି। ସେମାନେ ସମୁଦ୍ର ଦେଇ କୌଣସି ସମୟରେ ମୁମ୍ବାଇରେ ଅନୁପ୍ରବେଶ କରିପାରନ୍ତି। ଜେଇଏମ୍‌ ମୁଖ୍ୟ ମୌଲାନା ମାସୁଦ୍‌ ଆଝାରଙ୍କ ଭାଇ ରୌଫ୍‌ ଅଝଗରଙ୍କ ନିର୍ଦ୍ଦେଶରେ ମୁମ୍ବାଇରେ ୨୬/୧୧ ଭଳି ଆକ୍ରମଣର ପୁନରାବୃତ୍ତି ଘଟାଇପାରନ୍ତି। ସୁରକ୍ଷା ସଂସ୍ଥାଗୁଡ଼ିକ ଏନେଇ ଗୋଇନ୍ଦା ସୂଚନା ପାଇବା ପରେ ୭୫୧୪ କି.ମି. ବିସ୍ତୃତ ପୂର୍ବ ଓ ପଶ୍ଚିମ ଉପକୂଳରେ ହାଇଆଲର୍ଟ ଜାରି କରାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ରାଡାର ଜରିଆରେ କଡ଼ା ନଜର ରଖାଯାଉଛି। କୌଣସି ସନ୍ଦିଗ୍ଧ ଜାହାଜ ବା ବୋଟ ଭାରତୀୟ ଜଳସୀମାରେ ପ୍ରବେଶ କଲେ ତାକୁ କାବୁ କରିବା ପାଇଁ ନୌସେନା ଓ ତଟରକ୍ଷୀ ବାହିନୀ ସତର୍କ ଓ ସଜାଗ ହୋଇରହିଛନ୍ତି। ଭାରତୀୟ ନୌସେନା କେନ୍ଦ୍ର ସରକାରଙ୍କୁ ଏସମ୍ପର୍କିତ ଏକ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି।

Share