ସମୂହ ପ୍ରାର୍ଥନା ନ କରିବାକୁ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ,୨୧ା୩

ରେଶମ ନଗରୀ ବ୍ରହ୍ମପୁରରେ ଶୁକ୍ରବାରଠାରୁ ଚର୍ଚ୍ଚ ଓ ମସଜିଦରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି ।
କରୋନା ଭୂତାଣୁ ବ୍ୟାପିବା ଆଶଙ୍କା ଥିବାରୁ ସମୂହ ପ୍ରାର୍ଥନା ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେଳବ ଧର୍ମ ଗୁରୁମାନେ ବିଧି ପାଳନ କରିବେ ବୋଲି ଜିଲାପାଳ ପରାମର୍ଶ ଦେଇଛନ୍ତି। ଶୁକ୍ରବାର ଇସଲାମ ଧର୍ମାବଲମ୍ବୀମାନେ ଏଥିରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ରହ୍ମପୁର ଜାମିଆ ମସଜିଦ ସମେତ ପ୍ରଥମ ମିଲିଟାରୀ ଲାଇନ, ସାନବଜାର ଓ ଅନ୍ୟ ମସଜିଦଗୁଡ଼ିକୁ ଜନଶୂନ୍ୟ ଥିବା ଦେଖାଯାଇଥିଲା।
ଅନ୍ୟପକ୍ଷରେ ସ୍ଥାନୀୟ ଓଡ଼ିଆ ବାପଟିଷ୍ଟ ଚର୍ଚ୍ଚ, କୁଇନ ମିଶନ କ୍ୟାଥେଲିକ ଚର୍ଚ୍ଚ, ସେଣ୍ଟ ଷ୍ଟିଫେନ୍ସ ଚର୍ଚ୍ଚ, ଗିରି ମାର୍କେଟ ନିକଟ ତେଲୁଗୁ ଚର୍ଚ୍ଚ ଆଦିର ମୁଖ୍ୟ ଫାଟକରେ ତାଲା ପଡ଼ିଛି। ଚର୍ଚ୍ଚଗୁଡିକରେ ଆଦୌ ଗହଳି ନ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ରବିବାର ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଯେଭଳି ଚର୍ଚ୍ଚରେ ଗହଳି ନ କରିବେ ସେଥିପାଇଁ ଆଗୁଆ ସତର୍କ କରି ଦିଆଯାଇଛି। ଖ୍ରୀଷ୍ଟିଆନ ଓ ମୁସଲିମମାନେ ନିଜ ଘରେ ପ୍ରାର୍ଥନା କରିବା ପାଇଁ ପରାମର୍ଶ ଦିଆଯାଇଛି। ମହାନଗରରେ ମନ୍ଦିରଗୁଡିକରେ ଭକ୍ତଙ୍କ ଭିଡ଼ ବନ୍ଦ କରାଯାଇଥିବା ବେଳେ ଏବେ ମସଜିଦ ଓ ଚର୍ଚ୍ଚ ଉପରେ ଅଙ୍କୁଶ ଲଗାଯାଇଛି।
ସୂଚନାଯୋଗ୍ୟ ମହାମାରୀ କରୋନା ଭୂତାଣୁ ରୋକିବା ନିମନ୍ତେ ଗତ ସୋମବାରଠାରୁ ସମସ୍ତ ଦୋକାନ ବଜାର, ସିନେମା ହଲ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସାମାଜିକ କାର୍ଯ୍ୟକ୍ରମ ନିଷେଧ କରାଯାଇଛି। ସହରରେ ଥିବା ଶତାଧିକ ଛୋଟ ବଡ଼ କଲ୍ୟାଣ ମଣ୍ଡପ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି। କରୋନା ମୁକାବିଲା ନିମନ୍ତେ ଜନ ସଚେତନତାକୁ ସରକାରୀ ଓ ବେସରକାରୀ ସ୍ତରରେ ଜୋରଦାର କରାଯାଇଛି। ପ୍ରତିଦିନ ପ୍ରବଳ ଗହଳି ହେଉଥିବା ବଡ଼ ଓ ସାନ ବଜାର, ଦେଶୀ ବେହେରା ବଜାର, ହନୁମାନ ବଜାର, ଗିରି ମାର୍କେଟ, ମୟୂରୀ ଟାୱାର, ଅର୍ବାନ ବ୍ୟାଙ୍କ ରୋଡ, ଅନ୍ନପୂର୍ଣ୍ଣା ବଜାର, ଫାୟାର ଷ୍ଟେଶନ ରୋଡ, ପୁରୁଣା ବସଷ୍ଟାଣ୍ଡ ଇଲାକା ଆଦି ଗତ ୫ ଦିନ ହେବ ଖାଁ ଖାଁ ହୋଇଯାଇଛି।

Share