ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଦମ୍ପତିଙ୍କୁ ହତ୍ୟା ଉଦ୍ୟମ: ୫ ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୧୭ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ଅଭିମନ୍ୟୁ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ପ୍ରଧାନଙ୍କୁ ବୁଧବାର ମଧ୍ୟାହ୍ନରେ ଗାଁ ନିକଟ ସୁନା ଦେଇ ପାହାଡ଼ ପାଖ ଚାଷଜମିରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଯୋଜନା ପ୍ରକାରେ ଅଭିମନ୍ୟୁଙ୍କ ନିକଟ ସମ୍ପର୍କୀୟମାନେ ବିଭିନ୍ନ ମାରଣାସ୍ତ୍ର ଦାରା ସଂଘବଦ୍ଧ ଭାବେ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବମୋକୋଇସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ପୋଲିସ ସୂତ୍ରରୁ ପ୍ରକାଶ, ଗତ କିଛିବର୍ଷ ହେଲା ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ରକରି ଅଭିମନ୍ୟୁ ଏବଂ ତାଙ୍କ ବଡ଼ଭାଇଙ୍କ ମଧ୍ୟରେ ବିବାଦ ଲାଗିରହିଛି। ପୂର୍ବରୁ ଗ୍ରାମ୍ୟ କମିଟି ଏଥିରେ ହସ୍ତକ୍ଷେପ କରି ଦୁଇଭାଇଙ୍କ ମଧ୍ୟରେ ବୁଝାମଣା କରିଥିଲା। ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା କରାଯିବା ସହ ସମ୍ପତ୍ତିର ବିଭାଗ ବଣ୍ଟନ କରାଯାଇଥିଲା। କିନ୍ତୁ ଏଥିରେ ବଡ଼ ଭାଇ ଓ ପୁତୁରାମାନେ ଅସନ୍ତୋଷ ପ୍ରକାଶ କରିବାସହ ଅଭିମନ୍ୟୁ ଓ ତାଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଏନେଇ ଏକାଧିକ ମାମଲା କୋର୍ଟରେ ବିଚାରାଧୀନ ରହିଛି। ବୁଧବାର ସକାଳେ ଅଭିମନ୍ୟୁ ତାଙ୍କୁ ଭାଗ ମିଳିଥିବା ଜମିରେ ସ୍ତ୍ରୀ ଲକ୍ଷ୍ମୀଙ୍କ ସହ କାମ କରୁଥିବା ବେଳେ ବଡ଼ଭାଇ ଓ ତାଙ୍କ ସମ୍ପର୍କୀୟ ଲୋକେ ଘେରିଯାଇ ମରଣାନ୍ତକ ଆକ୍ରମଣ କରିଥିଲେ। ଗିରଫ ଭୟରେ ୫ ଅଭିଯୁକ୍ତ ଫେରାର ଥିବା ଦିଗପହଣ୍ଡି ଥାନା ଆଇକ୍‌ଆଇସି ବସନ୍ତ କୁମାର ସେଠୀ କହିଛନ୍ତି।

Share