Categories: ଗଞ୍ଜାମ

ସମ୍ପତ୍ତି ଭାଗବଣ୍ଟାରୁ ଆକ୍ରମଣ: ମା’ ମୃତ, ଝିଅ ପୁଅ ଗୁରୁତର

ଆସିକା,୨୪ା୫(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଆସିକା ଥାନା ଅଧୀନ ବାଲିସିରା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମରେ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଦୁଇ ପରିବାର ମଧ୍ୟରେ ଲାଗିଥିବା ବିବାଦ ଉଗ୍ରରୂପ ନେଇଛି। ବୁଧବାର ରାତି ପ୍ରାୟ ୧୦ଟାରେ ହୋଇଥିବା ଗଣ୍ଡଗୋଳରେ ଗୋଟିଏ ପରିବାରର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ବେଳେ ତାଙ୍କ ଝିଅ, ପୁଅ ଆହତ ହୋଇଛନ୍ତି। ମୃତ ମହିଳା ହେଲେ କାଳିଆ ବେହେରା (୫୬)। ତାଙ୍କ ପୁଅ ବୁଲୁ ବେହେରା (୩୪) ଓ ଝିଅ ଗୀତା ବେହେରା (୩୦) ଆହତ ହୋଇଥିବାରୁ ପ୍ରଥମେ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଛି ା କାଳିଆଙ୍କ ଅନ୍ୟ ଜଣେ ପୁଅ ବାବୁରାମ ବେହେରା ଏ
ନେଇ ଗୁରୁବାର ଆସିକା ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତା ଓ ସମ୍ପତ୍ତି ଭାଗବଣ୍ଟାକୁ ନେଇ ଆକ୍ରମଣ କରାଯାଇଥିବା ସେ ଦର୍ଶାଇଛନ୍ତି। ଏହାକୁ ଭିତ୍ତିକରି ପୋଲିସ ଆକ୍ରମଣକାରୀ ପରିବାରର ମା’, ବାପା ଓ ଦୁଇ ପୁଅଙ୍କ ନାମରେ ନଂ.୧୬୫/୧୯ରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ମଧ୍ୟରୁ ଅଭିଯୁକ୍ତ ବାପା ବିଜୟ ବେହେରା (୬୦)ଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନେ ଫେରାର ଥିବା ଥାନା ଅଧିକାରୀ ପୀତବାସ ଧାରୁଆ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ୪ ବର୍ଷ ପୂର୍ବରୁ ସମ୍ପତ୍ତି ଭାଗବଣ୍ଟାକୁ ଦୁଇ ପରିବାର ମଧ୍ୟରେ ମାରପିଟ ହୋଇଥିଲା। ଏ ନେଇ ଆସିକା ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ବୁଧବାର ରାତିରେ କୌଣସି ଏକ କଥାକୁ ନେଇ ପ୍ରଥମେ ୨ ପରିବାର ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା। ବିଜୟ ଓ ତାଙ୍କ ପରିବାର ଲୋକେ କାତିରେ ଆକ୍ରମଣ କରିବାରୁ କାଳିଆ ଓ ତାଙ୍କ ପୁଅ ବୁଲୁ ଓ ଝିଅ ଗୀତା ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ପ୍ରଥମେ ଆସିକା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ କାଳିଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହକୁ ପୋଲିସ ଜବତ କରି ଗୁରୁବାର ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ା ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି।