ସମ୍ପର୍କୀୟଙ୍କ ସହ କଥା ହେବାକୁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା

ଭଦ୍ରକ ଅଫିସ, ୨୪।୩-ଭଦ୍ରକ ଜିଲା ମୁଖ୍ୟାଳୟରେ ଥିବା ସବ୍‌ଜେଲରେ ଏବେ କ୍ଷମତାଠାରୁ ଦୁଇଗୁଣ ଅଧିକ କଏଦୀ ରହୁଛନ୍ତି। କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ସେମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା ସମ୍ଭବ ହେଉନାହିଁ ଯାହାକି ଚିନ୍ତାର କାରଣ ହୋଇଛି। ଜେଲରେ ରହୁଥିବା କଏଦୀଙ୍କ ସକାଶେ କେତେକ ବ୍ୟବସ୍ଥା କରାଯାଇଛି। ଭଦ୍ରକର ବ୍ରିଟିଶ ଅମଳରେ ୧୯୧୫ରେ ପ୍ରତିଷ୍ଠା ହୋଇଥିବା ସବ୍‌ଜେଲରେ ଏବେ କଏଦୀମାନଙ୍କୁ ଭେଟିବାକୁ ଆସୁଥିବା ସମ୍ପର୍କୀୟମାନଙ୍କୁ ସିଧାସଳଖ ସାକ୍ଷାତ୍‌ ସୁଯୋଗ ଦିଆଯାଉନାହିଁ। ଜେଲ୍‌ ଭିତରେ ସ୍ବତନ୍ତ୍ର କ୍ୟାମେରା ଓ ମନିଟର୍‌ ବ୍ୟବସ୍ଥା କରାଯାଇ ସମ୍ପର୍କୀୟଙ୍କୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କଥା ହେବାକୁ ସୁଯୋଗ ଦିଆଯାଉଛି। ଏହି ପୁରୁଣା କାରଗାରରେ ଥିବା ୯ଟି ରୁମ୍‌ରେ ମୋଟ ୧୬୬ କଏଦୀ ରହିବା ବ୍ୟବସ୍ଥା ରହିଛି।
ରବିବାର ସୁଦ୍ଧା ମହିଳା ଓ ପୁରୁଷ କଏଦୀଙ୍କୁ ମିଶାଇ ଜେଲରେ ମୋଟ ୩୬୪ଜଣ ରହୁଛନ୍ତି। ଏମାନଙ୍କ ମଧ୍ୟରୁ ୧୫ମହିଳା ଓ ୨ଶିଶୁ ଅଛନ୍ତି। କ୍ଷମତାଠାରୁ ଅଧିକ କଏଦୀ ରହୁଥିବାରୁ ଏଠାରେ ସରକାରୀ ସ୍ତରରେ ସାମାଜିକ ଦୂରତ୍ୱ ନିୟମ ବାଟବଣା ହୋଇପଡିଛି। ନୂଆ ଜେଲ୍‌ ନିର୍ମାଣ ପାଇଁ ଜାଗା ସ୍ଥିର ହୋଇଥିଲେ ବି ପ୍ରଶାସନିକ ଇଚ୍ଛାଶକ୍ତି ଅଭାବ କାରଣରୁ ଏହା ହୋଇପାରୁନାହିଁ। ଏ ସମ୍ପର୍କରେ ସବ୍‌ଜେଲ ଅଧୀକ୍ଷକ କୁଅଁର ମାରାଣ୍ଡିଙ୍କୁ ପଚାରିବାରୁ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ କେବଳ ବାହାରୁ ଆସୁଥିବା କଏଦୀଙ୍କ ସମ୍ପର୍କୀୟଙ୍କ ପାଇଁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦେଖା କରିବାର ବ୍ୟବସ୍ଥା କରାଯାଇଛି। ଏଣୁ କରୋନା ସଂକ୍ରମଣର ଭୟ ନାହିଁ। ସମୁହ ପ୍ରାର୍ଥନାକୁ ବନ୍ଦ କରାଯାଇ ଜେଲ ପରିସରକୁ ଦୈନିକ ସଫାସୁତୁରା କରାଯାଉଛି। କଏଦୀମାନଙ୍କ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଉଛି।

Share