ନିକଟରେ ଦେଶର ୨୦୦ରୁ ଊର୍ଦ୍ଧ୍ୱ ଜିଲାରେ ବ୍ୟାଙ୍କ ପକ୍ଷରୁ ଋଣମେଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ୧୪ ଅକ୍ଟୋବରରେ ତଥ୍ୟ ଦେଇଛନ୍ତି ଯେ, ଏହି ମାସର ପ୍ରାରମ୍ଭରେ ଅନୁଷ୍ଠିତ ମେଳାରେ ପ୍ରଥମ ପର୍ଯ୍ୟାୟରେ ୮୭, ୭୮୧ କୋଟି ଟଙ୍କା ଋଣ ଦିଆଯାଇଛି। ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଏବଂ ଗୃହ, ଗାଡ଼ି ଋଣକାରୀ, ବ୍ୟକ୍ତିଗତ ଓ କୃଷକଙ୍କ ଭଳି ଖୁଚୁରା ଧାରଗ୍ରାହୀ ଏହା ପାଇଛନ୍ତି। ଅର୍ଥନୀତିକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର ସରକାରଙ୍କ ଏଭଳି ଉଦ୍ୟମ ସ୍ବାଗତଯୋଗ୍ୟ। କାରଣ ଦେଶରେ ମନି ସର୍କ୍ୟୁଲେଶନ ବା ମୁଦ୍ରା ସଞ୍ଚାଳନ ହେଲେ ତାହା ଆର୍ଥିକ ଜଗତକୁ ପୁଷ୍ଟ କରିବ।
ଏବେ ଭାରତ ସମେତ ପୃଥିବୀବ୍ୟାପୀ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। ସେଥିରୁ ରକ୍ଷା ପାଇବା ପାଇଁ ରାଷ୍ଟ୍ରଗୁଡ଼ିକ ଆପ୍ରାଣ ଉଦ୍ୟମ କରୁଛନ୍ତି। ଭାରତ ସରକାର ଇତିମଧ୍ୟରେ ସାଧାରଣ ବଜେଟ ବେଳେ ନିଆଯାଇଥିବା କେତେକ କଠୋର ଆର୍ଥିକ କଟକଣାକୁ କୋହଳ କରିଲେଣି। ତଥାପି ଲିକ୍ୟୁଡିଟି ବା ନଗଦ ଅର୍ଥ ଲୋକଙ୍କ ହାତକୁ ପୂର୍ବଭଳି ମିଳିପାରୁନାହିଁ। ଚଳିତବର୍ଷ ମେ ଶେଷ ଆଡ଼କୁ ନ୍ୟାଶନାଲ ସାମ୍ପୁଲ ସର୍ଭେ ଅଫିସ (ଏନ୍ଏସ୍ଏସ୍ଓ) ପରିସଂଖ୍ୟାନ ବାଢ଼ିଥିଲା ଯେ, ଭାରତରେ ବେକାର ହାର ୪୫ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ରହିଛି। ଏଭଳି ଅବସ୍ଥା ପଛରେ ଏମ୍ଏସ୍ଏମ୍ଇ କ୍ଷେତ୍ର ଦୁର୍ବଳ ହେବା ସହ ନିଯୁକ୍ତି ପ୍ରଦାନକାରୀ ଅନେକ ସଂସ୍ଥା କ୍ଷତି ସହି ନିଶ୍ଚିହ୍ନ ହୋଇଯିବାକୁ ଦାୟୀ କରାଯାଉଛି। ତେଣୁ ଅର୍ଥନୀତିକୁ ପୁନର୍ଜୀବିତ କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଋଣମେଳା ଆୟୋଜନ ଏକ ସକାରାତ୍ମକ ପଦକ୍ଷେପ। ଏବେ ଯେଉଁ ୮୭, ୭୮୧ କୋଟି ଟଙ୍କା ବ୍ୟାଙ୍କ ବାହାରକୁ ଆସିଲା ଓ ଋଣଧାରୀମାନେ ତାହାକୁ ବିନିଯୋଗ କରିବାର ସୁଯୋଗ ପାଇଲେ, ତାହା ଦ୍ୱାରା ମୁଦ୍ରା ସଞ୍ଚାଳନ ହେବା ସ୍ବାଭାବିକ। ତାହା ହେଲେ ପୁନଶ୍ଚ ନୂଆ ଉଦ୍ୟୋଗ ଗଢ଼ି ଉଠିବ ବା ସୁପ୍ତ ସଂସ୍ଥା ଠିଆ ହୋଇପାରିବେ। ଏହାଦ୍ୱାରା ନିଯୁକ୍ତି ଆଶା କଅଁଳିବ। ତେବେ ଏହି ଚିନ୍ତାଧାରାକୁ ପ୍ରତିହତ କରିବା ଲାଗି ଋଣଗ୍ରାହୀ ଅର୍ଥର ଅପବ୍ୟବହାର କରିପାରନ୍ତି। ବିଗତ ଦିନରେ ଏହାର ଅସଂଖ୍ୟ ଉଦାହରଣ ଦେଖିବାକୁ ମିଳିଛି। କୁହାଯାଉଛି, ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଉପରେ ରାଜନୈତିକ ବ୍ୟକ୍ତିଙ୍କ ଚାପ ଯୋଗୁ ଅଧିକାଂଶ ଋଣ ମଞ୍ଜୁର ହୋଇଥାଏ। କିନ୍ତୁ ବାସ୍ତବ କଥା ହେଉଛି, ଭାରତର କେତେକ ମୁଣ୍ଟିମେୟ ବଡ଼ ବ୍ୟବସାୟୀ ନେଇଥିବା ଋଣକୁ ପଇଠ କରୁ ନ ଥିବାରୁ ଏହି ଦେଶର ପ୍ରାୟ ସମସ୍ତ ବ୍ୟାଙ୍କର ଅତ୍ୟଧିକ ଏନ୍ପିଏ ସୃଷ୍ଟି ହୋଇଛି। ଅର୍ଥାତ୍ ବ୍ୟାଙ୍କଗୁଡ଼ିକ ଋଣଭାରରେ ବୁଡ଼ି ରହିଛନ୍ତି। ତାହା ତୁଳନାରେ କୃଷି ପାଇଁ ଋଣ ଏବଂ ସେହି ଋଣଛାଡ଼ର କୁପ୍ରଭାବ ଅତ୍ୟନ୍ତ ସୀମିତ। ପୃଥିବୀର ଅନେକ ଦେଶରେ କୃଷିଋଣ ଛାଡ଼ ହେଉଥିବାର ପରିଲକ୍ଷିତ ହୋଇଥାଏ। କିନ୍ତୁ ଅନ୍ୟ ଦେଶଗୁଡ଼ିକରେ ବୃହତ୍ ଶିଳ୍ପପତିମାନେ ଅଧିକାଂଶ ସମୟରେ ଋଣ ଶୁଝି ଦିଅନ୍ତି। ଦୁଃଖର ବିଷୟ, ଭାରତୀୟ ବ୍ୟବସାୟୀମାନେ ତାହା କରନ୍ତି ନାହିଁ। ସେମାନଙ୍କୁ ଦେଖି ସାଧାରଣ ଲୋକ ମଧ୍ୟ ବ୍ୟାଙ୍କଋଣ ଶୁଝିବାକୁ ଚାହେଁ ନାହିଁ।
ସାଧାରଣତଃ ଋଣମେଳା ମାଧ୍ୟମରେ ଦିଆଯାଉଥିବା ଅର୍ଥ ଲାଗି ବ୍ୟକ୍ତିଙ୍କଠାରୁ ବନ୍ଧକ ରଖାଯାଇ ନ ଥାଏ। ଫଳରେ ସେମାନେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତାହାକୁ ପଇଠ ନ କରିପାରିଲେ ବ୍ୟାଙ୍କ ବ୍ୟାପକ ମାତ୍ରାରେ କ୍ଷତି ସହେ। ୧୯୮୦ ଦଶକରେ ତତ୍କାଳୀନ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବ୍ୟାଙ୍କଗୁଡ଼ିକ ପକ୍ଷରୁ କରାଯାଇଥିବା ଋଣମେଳା ଆଶାନୁରୂପ ସଫଳତା ପାଇ ନ ଥିଲା। ସେହି ଅନୁଯାୟୀ ଏବେ ଦିଆଯାଇଥିବା ୮୭, ୭୮୧ କୋଟି ଟଙ୍କାର ଋଣ ମଞ୍ଜୁର ଅର୍ଥନୀତିକୁ କିଭଳି ସୁଦୃଢ଼ କରିବ ତାହା ପରେ ଜଣାପଡ଼ିବ। ଅଧିକାଂଶ ଭାରତୀୟଙ୍କ ମନ ମଧ୍ୟରେ ବସାବାନ୍ଧିଛି ଯେ, ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ସରକାରୀ ବ୍ୟାଙ୍କ। ସେଥିରୁ ଟଙ୍କା ଆଣି ନ ଶୁଝିଲେ ଚଳିଯିବ। ମାତ୍ର ଏହି ବ୍ୟାଙ୍କଗୁଡ଼ିକ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ନିୟମାବଳୀ ଅନୁସରଣ କରିଥାଆନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ହୋଇଥିବାରୁ ଏହାର ଦୁର୍ର୍ଦ୍ଦିିନରେ ସରକାର ଆର୍ଥିକ ପ୍ୟାକେଜ୍ ଦେଇ ସହାୟକ ହୋଇଥାଆନ୍ତି। ଆଜିର ପରିସ୍ଥିତିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଆର୍ବିଆଇରେ ସରକାରୀ ହସ୍ତକ୍ଷେପ ରହୁଥିବାରୁ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ତେଣୁ ବ୍ୟାଙ୍କଗୁଡ଼ିକୁ ସ୍ବାଧୀନ ଭାବେ କାର୍ଯ୍ୟ କରିବାକୁ ଛାଡ଼ି ଦିଆଗଲେ ସକାରାତ୍ମକ ଫଳ ମିଳିପାରନ୍ତା।
ଅର୍ଥନୀତିକୁ ବ୍ୟବସ୍ଥିତ କରିବା ଲାଗି ପ୍ରକୃତ ଦିଗକୁ ଦୃଷ୍ଟି ଦିଆଯିବା ଦରକାର। ଋଣ ମାଧ୍ୟମରେ ମୁଦ୍ରା ସଞ୍ଚାଳନ କରାଗଲେ ଉଦ୍ୟୋଗ ଗଢ଼ି ଉଠିବ ଓ ସେଥିରେ ଅନେକେ ନିଯୁକ୍ତି ପାଇପାରିବେ। ପ୍ରଡକ୍ଟିଭ୍ ଓ୍ବର୍କ ବା ଫଳପ୍ରସୂ କାର୍ଯ୍ୟ ଦ୍ୱାରା ସଂସ୍ଥାଗୁଡ଼ିକ ଲାଭ ଅର୍ଜନ କରିପାରିବେ। ସେହି ଲାଭର କିଛି ଅଂଶ ଟିକସ ଆକାରରେ ସରକାରକୁ ଯାଇପାରିବ। ତାହା ଦ୍ୱାରା ଜନମଙ୍ଗଳ ଯୋଜନା ବା କାର୍ଯ୍ୟକ୍ରମ ପ୍ରଣୟନ କରାଯାଇ ଅର୍ଥକୁ ଲୋକଙ୍କ ହିତରେ ଲଗାଯାଇପାରିବ। କିନ୍ତୁ ସିଧାସଳଖ ଲୋକଙ୍କ ପାଖକୁ ଅର୍ଥ ଦିଆଯାଉଥିବାରୁ ସେମାନେ କାର୍ଯ୍ୟ କରିବାକୁ ଅମଙ୍ଗ ହେଉଛନ୍ତି। ଅପରପକ୍ଷରେ ଋଣମେଳା ମାଧ୍ୟମରେ ଦିଆଯାଉଥିବା ବଡ଼ ଅର୍ଥକୁ କୌଣସି ବ୍ୟକ୍ତି ଆର୍ଥିକ ବ୍ୟବସ୍ଥା ଭିତରେ ବିନିଯୋଗ କଲାଭଳି ମନେହେଉ ନାହିଁ। ମାନ୍ଦାବସ୍ଥା ସହିତ ସରକାରଙ୍କ ପ୍ରତିଦିନ ବଦଳୁଥିବା ଏବଂ ଆୟକର ନିୟମ ବଜାରରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ସେଥିପାଇଁ ଯେଉଁମାନେ ବି ଏଭଳି ଅସ୍ଥିର ସମୟରେ ଋଣ ପାଉଛନ୍ତି, ସେମାନେ ତାହାର ତତ୍କ୍ଷଣାତ୍ ବିନିଯୋଗ କରିବା ପରିବର୍ତ୍ତେ ନିଜ ପାଖରେ ତାହାକୁ ସାଇତି ରଖିଦେଉଛନ୍ତି। ଫଳରେ ଏହା ଖର୍ଚ୍ଚଚକ୍ର ଭିତରକୁ ଆସିପାରୁ ନାହିଁ କି ଅର୍ଥନୀତିରେ ସୁଧାର ଆଣିପାରୁ ନାହିଁ। ସେଥିପାଇଁ ଅସ୍ଥିରତା ସୃଷ୍ଟି କରୁଥିବା ନୀତି ନିୟମକୁ ଦୂର କରି ସ୍ଥିର ପରିସ୍ଥିତି ଆଣିବା ଦାୟିତ୍ୱ ଆଜି ସରକାରଙ୍କ କାନ୍ଧରେ ରହିଛି।