ସମ୍ପୂର୍ଣ୍ଣ ଓଡ଼ିଶା ଲକ୍‌ଡାଉନ୍‌; ଅପରାହ୍ନ ସାଢ଼େ ୪ଟାରେ ଗଣମାଧ୍ୟମ ଜରିଆରେ ଦିଆଯିବ ସୂଚନା

ଭୁବନେଶ୍ୱରା,୨୪।୩(ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହି ରୋଗର ବ୍ୟାପକତାକୁ ଦେଖି ସମସ୍ତ ୩୦ ଜିଲା ଅର୍ଥାତ୍‌ ସମ୍ପୂର୍ଣ୍ଣ ଓଡ଼ିଶା ଲକ୍‌ଡାଉନ୍‌ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର ମଧ୍ୟରାତ୍ରରୁ ମାର୍ଚ୍ଚ ୨୯ ଯାଏ ଅବଶିଷ୍ଟ ୧୬ ଜିଲା ଲକ୍‌ଡାଇନ୍‌ କରାଯିବ। ଏ ନେଇ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇଛନ୍ତି। ମଙ୍ଗଳବାର ଅପରାହ୍ନ ୪ଟା ୩୦ରେ ଗଣମାଧ୍ୟମ ଜରିଆରେ ସମସ୍ତଙ୍କୁ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୨୧ରେ ୫ଟି ଜିଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଏବଂ ଅନୁଗୋଳ ଜିଲା ସହ ୮ଟି ସହର ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍‌ ଏବଂ ଯାଜପୁର ଟାଉନକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରିଥିଲେ। ପରେ ଅର୍ଥାତ୍‌ ସୋମବାର ଆଉ ୯ଟି ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହି ଜିଲାଗୁଡ଼ିକ ହେଲା ପୁରୀ, ନୟାଗଡ଼, ଜଗତ୍ସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ଢେଙ୍କାନାଳ ଓ ଝାରସୁଗୁଡ଼ା।

Share