ସମ୍ପୂର୍ଣ୍ଣ ଟିକେଟ ବାତିଲ ଅର୍ଥ ଫେରାଇବ ରେଲଓ୍ବେ

ନୂଆଦିଲ୍ଲୀ, ୨୯। ୩: କୋଭିଡ-୧୯ ସଂକ୍ରମଣକୁ ରୋକିବା ଲାଗି ଏବେ ସାରା ଦେଶରେ ପାସେଞ୍ଜର ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଛି। ସମସ୍ତ ରେଳଯାତ୍ରୀଙ୍କ ଟିକେଟକୁ ଆଗାମୀ ଏପ୍ରିଲ ୧୪ ଯାଏ ବାତିଲ କରି ଦିଆଯାଇଛି। ୨୧ ମାର୍ଚ୍ଚରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ଯାତ୍ରା ଅବଧିର ସମସ୍ତ ଟିକେଟ ବାବଦ ଅର୍ଥ ସମ୍ପୂର୍ଣ୍ଣ ଭାବେ ଫେରସ୍ତ କରିବା ଲାଗି ଭାରତୀୟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଟିକେଟ ଅର୍ଥ ଫେରସ୍ତ ନିୟମରେ ଛାଡ ଜାରି ରଖିବା ଲାଗି ମାର୍ଚ୍ଚ ୨୧ରେ କାର୍ଯ୍ୟକାରୀ ହୋଇଥିବା ନିର୍ଦ୍ଦେଶ ଅଧୀନ ଏହି ଅତିରିକ୍ତ ପଦକ୍ଷେପ ହାତକୁ ନିଆଯିବ। ୨୭ ତାରିଖ ପୂର୍ବରୁ ବାତିଲ ହୋଇଥିବା ଟିକେଟ ଅର୍ଥ ଫେରିପାଇବା ଲାଗି ଯାତ୍ରୀଙ୍କୁ ଟିକେଟ ଜମା ରସିଦ ବା ଟିଡିଆର୍‌ ଦେବାକୁ ପଡିବ। ରିଫଣ୍ଡ ବାଲାନ୍ସ ଅର୍ଥ ପାଇବା ଲାଗି ପୂରଣ ହୋଇଥିବା ଫର୍ମ ଯେକୌଣସି ଜୋନାଲ ରେଲଓ୍ବେ କାର୍ଯ୍ୟାଳୟ ମୁଖ୍ୟ ପ୍ରବନ୍ଧକ କିମ୍ବା ମୁଖ୍ୟ ଦାବି ଅଧିକାରୀଙ୍କୁ ୨୧ ଜୁନ ସୁଦ୍ଧା ଜମା କରିବାକୁ ହେବ। ବ୍ୟବହାରିକ ଉପଯୋଗ ଲାଗି ଉଦ୍ଦିଷ୍ଟ ଫର୍ମ ରେଳପଥ ପକ୍ଷରୁ ପ୍ରଦାନ କରାଯିବ। ଏହା ମାଧ୍ୟମରେ ଯାତ୍ରୀ ଟିକେଟ ରଦ୍ଦ କରିବା ସମୟରେ କଟାଯାଇଥିବା ଅର୍ଥ ରାଶି ଫେରିପାଇବାକୁ ସୁବିଧା ଲାଭ କରିପାରିବେ। ୨୭ ତାରିଖ ପୂର୍ବରୁ ବାତିଲ ହୋଇଥିବା ଟିକେଟ ପାଇଁ ସମ୍ପୂର୍ଣ୍ଣ ଦେୟ ପ୍ରଦାନ କରାଯିବ। ଯେଉଁ ଆକାଉଣ୍ଟ ଦ୍ୱାରା ଯାତ୍ରୀଙ୍କ ଟିକେଟ ବୁକିଂ ହୋଇଥିଲା ସେଥିରେ ବାଲାନ୍ସ ରିଫଣ୍ଡ ରାଶି ଜମା କରିଦିଆଯିବ। ରିଫଣ୍ଡ ରାଶି ପ୍ରଦାନ କରିବା ଲାଗି ଆଇଆର୍‌ସିଟିସି ଏକ ଚାର୍ଟ ପ୍ରସ୍ତୁତ କରିବ। ଟିକେଟ ବାତିଲ ଅର୍ଥ ଫେରାଇବା ଲାଗି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ରେଳପଥ ପକ୍ଷରୁ ସୂଚନା ରହିଛି।

Share