ସମ୍ପୂର୍ଣ୍ଣ ନୂଆ ଚରିତ୍ର ସହ ଫେରୁଛନ୍ତି ଐଶ୍ୱର୍ଯ୍ୟା

ମୁମ୍ବାଇ: ବିଶ୍ୱ ସୁନ୍ଦରି ଐଶ୍ୱର୍ଯ୍ୟା ରାଏ ବଚ୍ଚନ ବେଶ୍‌ କିଛିଦିନ ହେବ ବଡ ପରଦାରେ ଦେଖାଯାଉ ନାହାନ୍ତି କହିଲେ ଚଳେ। ଏବେ କିନ୍ତୁ ସେ ସମ୍ପୁର୍ଣ୍ଣ ନୂଆ ଚରିତ୍ର ସହ ପରଦାକୁ ଫେରୁଛନ୍ତି ବୋଲି ଶୁଣିବାକୁ ମିଳିଛି। କଳ୍କି କୃଷ୍ଣମୂର୍ତ୍ତିଙ୍କ କାଳ୍ପନିକ ଉପନ୍ୟାସ ପୋନିୟିନ ସେଲଭାନଙ୍କୁ ନେଇ ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ମଣି ରତ୍ନମ ଫିଲ୍ମ ତିଆରି କରୁଥିବା ବେଳେ ଏଥିରେ ଐଶ୍ୱର୍ଯ୍ୟା ନଜର ଆସିବେ ବୋଲି ଜଣାପଡିଛି। ଦୀର୍ଘ ୨୬ ବର୍ଷ ପୂର୍ବରୁ ଏହି ଉପନ୍ୟାସକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ସ୍ବପ୍ନ ଦେଖିଥିବା ମଣି ରତ୍ନମଙ୍କ ସ୍ବପ୍ନ ଏବେ ପୂରଣ ହେବାକୁ ଯାଉଛି ବୋଲି କୁହାଯାଉଛି। ଏହାର କିଛି ଭାଗ ବିଦେଶରେ ଶୁଟିଂ କରାଯାଇଥିବା ବେଳେ ବାକି ସମସ୍ତ ଭାଗ ଭାରତର ବିଭିନ୍ନ ସ୍ଥାନରେ ଶୁଟିଂ କରାଯିବ ବୋଲି ଜଣାପଡିଛି। ତେବେ ଐଶ୍ୱର୍ଯ୍ୟା ଏଥିରେ ଖଳନାୟିକା ଚରିତ୍ରରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି। ଏହା ପ୍ରଥମେ ତାମିଲ ଭାଷାରେ ନିର୍ମାଣ କରାଯାଉଥିବା ବେଳେ ପରେ ପରେ ଏହା ପ୍ରମୁଖ ଭାରତୀୟ ଭାଷାରେ ନିର୍ମାଣ କରାଯିବାର ଯୋଜନା ରହିଛି। ଏହା ‘ବାହୁବଳୀ’ ପରି ଦୁଇଟି ଭାଗରେ ରିଲିଜ୍‌ କରାଯିବ। ଫିଲ୍ମଟି ୨୦୨୧ରେ ପରଦାକୁ ଆସିବ ବୋଲି ସୂଚନା ମିଳିଛି।

Share