ସମ୍ବର୍ଦ୍ଧନା ପରେ ସଙ୍ଗରୋଧ

କଟକ ଅଫିସ,୫ା୬: ପଶ୍ଚିମବଙ୍ଗରେ ସେଠାକାର ସରକାରଙ୍କ ଅନୁରୋଧକ୍ରମେ ବାତ୍ୟା ଅମ୍ଫନ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଓଡ଼ିଶାର ଅଗ୍ନିଶମ ବାହିନୀ। ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ୱର ସ୍ବାଇଁଙ୍କ ନେତୃତ୍ୱରେ ୩୭୨ ଜଣ ଅଗ୍ନିଶମ କର୍ମଚାରୀ କରୋନା ଭଳି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେଠାରେ ସଫଳତାର ସହ ଉଦ୍ଧାର କାର୍ଯ୍ୟ ସାରି ପ୍ରଶଂସା ସାଉଣ୍ଟି ଓଡ଼ିଶା ଫେରିଛନ୍ତି। ଶନିବାର ଏହି ଟିମ୍‌ ଓଡ଼ିଶା ଫେରିବା ପରେ ନରାଜସ୍ଥିତ ଓଡ଼ିଶା ଅଗ୍ନିଶମ ଓ ବିପର୍ଯ୍ୟୟ ପ୍ରଶମନ ପ୍ରତିଷ୍ଠାନରେ ରାଜ୍ୟ ଅଗ୍ନିଶମ ମହାନିର୍ଦ୍ଦେଶକ ଡ. ସତ୍ୟଜିତ ମହାନ୍ତି ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ସମସ୍ତ ଅଗ୍ନିଶମ କର୍ମଚାରୀ ସଙ୍ଗରୋଧକୁ ଯାଇଛନ୍ତି। ଭୁବନେଶ୍ୱର ଉତ୍ତରାଛକସ୍ଥିତ କୃପାଜଳ ଇଞ୍ଜିନିୟରିଂ କଲେଜ ଓ ଗୋଠପାଟଣାସ୍ଥିତ ରାଜସ୍ବ ଅଧିକାରୀ ତାଲିମ କେନ୍ଦ୍ରରେ ସେମାନଙ୍କୁ ୧୪ଦିନିଆ ସଙ୍ଗରୋଧରେ ରଖାଯିବ। ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ କୋଭିଡ୍‌ ଟେଷ୍ଟ ମଧ କରାଯିବ। ଏହାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ।
ଉଲ୍ଲେଖଯୋଗ୍ୟ, ଗତ ୨୪ ତାରିଖରେ କଲିକତା ଯାଇଥିବା ଓଡ଼ିଶା ଅଗ୍ନିଶମ ବାହିନୀ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାୟ ୨୫୫୦ଟି ଗଛ ସଫା କରିଥିବା ବେଳେ ୭୧୭ଟି ବିଦ୍ୟୁତ୍‌ ଖୁଣ୍ଟ ରାସ୍ତାରୁ ହଟାଇଥିଲା। ଏଥିପାଇଁ ପଶ୍ଚିମବଙ୍ଗ ନଗର ଉନ୍ନୟନ ମନ୍ତ୍ରୀ, ପ୍ରମୁଖ ଶାସନ ସଚିବ ଏହି ଟିମ୍‌କୁ ପ୍ରଶଂସାପତ୍ର ଦେଇଛନ୍ତି। କଲକିତା ମେୟର ଓ ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ସେମାନଙ୍କୁ ସମ୍ବର୍ଦ୍ଧିତ କରିନ୍ତି।

Share