ସମ୍ବଲପୁରରେ ଏନ୍‌କାଉଣ୍ଟର୍‌: କୁଖ୍ୟାତ ଅପରାଧୀ ତ୍ରିଦେବ ଆହତ

ସମ୍ବଲପୁର,୧୦ା୯(ବ୍ୟୁରୋ): ସମ୍ବଲପୁର ପୋଲିସ ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ତ୍ରିଦେବ ବାଗ(୨୫) ମଙ୍ଗଳବାର ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି । ଆହତ ଅବସ୍ଥାରେ ତାଙ୍କୁ ଜିଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ତ୍ରିଦେବଙ୍କ ନିକଟରୁ ୩୦ ହଜାର ଟଙ୍କା, ଗୋଟିଏ ଦେଶୀ ପିସ୍ତଲ, ୩ ମୋବାଇଲ ଫୋନ୍‌, ୨ ଜୀବନ୍ତ ଗୁଳି, ଏକ ମୋଟରସାଇକେଲ ଓ ଲୁଟ୍‌ ହୋଇଥିବା ୩ଟି ସୁନା ଚେନ ଜବତ ହୋଇଛି। ଘଟଣାସ୍ଥଳରୁ ଅନ୍ୟ ୩ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ତ୍ରିଦେବଙ୍କ ନାମରେ ସମ୍ବଲପୁର ଜିଲା ଅଇଁଠାପାଲି, ଧନୁପାଲି ଥାନାରେ ପ୍ରାୟ ୮ଟି ମାମଲା ରହିଥିବା ବେଳେ ଦେବଗଡ଼ ଜିଲାରେ ମଧ୍ୟ ଏକାଧିକ ମାମଲା ରହିଛି । ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଏସ୍‌ପି ବିଶାଳ ସିଂ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ସୋମବାର ବିଳମ୍ବିତ ରାତିରେ କୁଲୁଥକାନୀ-ଧନକଉଡ଼ା ନିଛାଟିଆ ସ୍ଥାନରେ କିଛି ଦୁର୍ବୃତ୍ତ ଥିବା ପୋଲିସକୁ ଖବର ମିଳିଥିଲା। ପରେ ଧନୁପାଲି ପୋଲିସ ଓ ସ୍ବତନ୍ତ୍ର ସ୍କ୍ବାଡ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି ତ୍ରିଦେବ ଗୁଳିଚାଳନା କରିଥିଲେ। ପୋଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା।