ସମ୍ବଲପୁରରେ ହେବ କୋଭିଡ୍‌ ହସ୍ପିଟାଲ

ସମ୍ବଲପୁର,୯ା୪(ବ୍ୟୁରୋ): ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ-୧୯ ମେଡିକାଲ ନିର୍ମାଣ କରିବାକୁ ପ୍ରଶାସନ ସ୍ଥିର କରିଛି। ବିଭିନ୍ନ ମହଲରେ କିନ୍ତୁ ଏହାକୁ ବିରୋଧ କରାଯାଉଛି। ବୁର୍ଲା ଭିମ୍‌ସାରରେ କୋଭିଡ ମେଡିକାଲ ନିମାଣ କରିବାକୁ ଦାବି କରାଯାଇଥିଲା। ଏଥିପାଇଁ ପ୍ରଶାସନିକ ଅଧିକାରୀ ଭିମ୍‌ସାର, ଭିସୁଟ ସହିତ କେତୋଟି କଲେଜ ପରିଦର୍ଶନ କରିଥିଲା। ହେଲେ ବାଦ ବିବାଦ ଭିତରେ ଶେଷରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏହା ନିର୍ମାଣ କରିବାକୁ ସ୍ଥିର କରାଯାଉଛି । ମିସଳିଥିବା ସୂଚନା ଅନୁସାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୨ ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍‌ ମେଡିକାଲ ନିର୍ମାଣ ହେବ। ଏଠାରେ ୩୦ ଶଯ୍ୟା ପାଇଁ ଭେଣ୍ଟିଲେଟର ବ୍ୟବସ୍ଥା ରହିବ । ନିର୍ମାଣ କାମ ଯଦ୍ଧକାଳୀନ ଭାବେ କରାଯାଉଛି । ପ୍ରାୟ ୧୦ ଦିନ ଭିତରେ କାମ ସାରିବାକୁ ଜିଲା ପ୍ରଶାସନର ଲକ୍ଷ୍ୟ ରହିଛି। ଗୁରୁବାର କରୋନା ମେଡିକାଲ ପାଇଁ ଆବଶ୍ୟକ ସମାଗ୍ରୀ ଆସି ଷ୍ଟୋରରେ ରହିଛି। ତେବେ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ରୋଗୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଅଇଁଠାପାଲି ସହରାଞ୍ଚଳ ଓ ବୈଦନାଥ ଛକରେ ଥିବା ଡାକ୍ତର ଜନାର୍ଦ୍ଦନ ପୂଜାରୀ ମାତୃ ମଙ୍ଗଳ କେନ୍ଦ୍ର ବ୍ୟବହାର କରାଯିବ । ସେଠାରେ ରୋଗୀ ଓ ତାଙ୍କ ସମ୍ପର୍କୀଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ । ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟର ସୁବିଧା ବଢାଇ ଦିଆଯିବ । ଗୁରୁତର ଅବସ୍ଥା ନ ଥିଲେ ଗ୍ରାମାଞ୍ଚଳର ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନ ଆସି ସେଠାରେ ଚିକିତ୍ସିତ ହେବେ। ଅନ୍ୟପକ୍ଷେ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ବୁର୍ଲା ଭିମ୍‌ସାର ସ୍ଥାନାନ୍ତର କରାଯିବ ବୋଲି ସ୍ଥିର ହୋଇଛି। ଭୀମସାରରେ ଏଥିପାଇଁ ବ୍ୟବସ୍ଥା କରାଯାଉଛି। ତେବେ ଏ ସମ୍ପର୍କରେ କରୋନା ମୁକାବିଲା ଜିଲା ଦାୟିତ୍ୱରେ ଥିବା ନୋଡାଲ ଅଫିସର ସୁକାନ୍ତ ତ୍ରିପାଠି କହିଛନ୍ତି ଯେ, ଯୁଦ୍ଧ କାଳିନ ଭିତ୍ତିରେ କାମ ଚାଲିଛି । ୧୦ ଦିନ ଭିତରେ କାଯର୍‌ୟକ୍ଷମ ହୋଇଯିବ।

Share