ସମ୍ବଲପୁର ରେଳ ଡିଭିଜନ ଦେଶରେ ପ୍ରଥମ

ସମ୍ବଲପୁର,୧୭-୯(ବ୍ୟୁରୋ):ରେଳ ବୋର୍ଡ ୫୮ଟି ଦିଗକୁ ଆଧାର କରି ବିଭିନ୍ନ ରେଳ ମଣ୍ଡଳକୁ ମାର୍କ ଦେଇଛି। ଏଥିରେ ସମ୍ବଲପୁର ରେଳମଣ୍ଡଳ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ବିଭିନ୍ନ ଦିଗରେ କାର୍ଯ୍ୟ ଦକ୍ଷତାକୁ ନେଇ ରେଳ ବୋର୍ଡ ଏହି ଚୟନ କରିଛି। ଅଗଷ୍ଟ ମାସର ରିପୋର୍ଟ ଅନୁସାରେ ୮୦ ମାର୍କରୁ ୭୩.୦୨ ମାର୍କ ରଖି ସମ୍ବଲପୁର ରେଳ ମଣ୍ଡଳ ପ୍ରଥମ ସ୍ଥାନରେ ରହିବାକୁ ଯୋଗ୍ୟ ବିବେଚିତ ହୋଇଛି। ୭୩.୦୧ ମାର୍କ ରଖି ରତଲାମ ଡିଭିଜନ ଦ୍ୱିତୀୟ ସ୍ଥାନ ପାଇଥିବାବେଳେ ୭୨.୦୫ ମାର୍କ ରଖି ଗୁଣ୍ଟୁକାଲ ଡିଭିଜନ ତୃତୀୟ ସ୍ଥାନରେ ରହିଛି।
ଦେଶରେ ୬୮ଟି ରେଳ ଡିଭିଜନ ରହିଛି। ସେଥିମଧ୍ୟରୁ ଯାତ୍ରୀସେବା ଓ ସୁରକ୍ଷା, ରାଜସ୍ବ ଆୟ, କର୍ମଚାରୀ ଓ ଅଧିକାରୀଙ୍କ ଶୃଙ୍ଖଳାଗତ କାର୍ଯ୍ୟ, ସମୟାନୁବର୍ତ୍ତିତା, ସଫା ସୁତୁରା ଆଦି ୫୮ଟି ଦିଗକୁ ନେଇ ମାର୍କ ଦିଆଯାଇଛି। ସମ୍ବଲପୁର ରେଳ ଡିଭିଜନ ଏପ୍ରିଲ ମାସରୁ ଜୁନ ମାସ ପର୍ଯ୍ୟନ୍ତ ତୃତୀୟ ସ୍ଥାନରେ ରହିଥିଲା। ଜୁଲାଇ ମାସରେ ତାହା ଖସି ଯାଇ ତୃତୀୟ ସ୍ଥାନକୁ ଚାଲିଯାଇଥିଲା। ହେଲେ ଅଗଷ୍ଟ ମାସରେ ପୁଣି ଉତ୍କୃଷ୍ଟ ସେବା ଓ ଅନ୍ୟ ଦିଗରେ ଭଲ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ନେଇଛି। ସୋମବାର ଅପରାହ୍ନରେ ଏହି ଖବର ଜାଣିବା ପରେ ସମ୍ବଲପୁର ଡିଭିଜନରେ ଖୁସିର ଲହରି ଖେଳିଯାଇଥିଲା। ମଣ୍ଡଳ ପ୍ରବନ୍ଧକ ଜୟଦୀପ ଗୁପ୍ତା ଏହାର ଶ୍ରେୟ ଅଧିକାରୀ ଓ କର୍ମଚାରୀଙ୍କୁ ଦେଇଛନ୍ତି। ସମସ୍ତଙ୍କ ଉଦ୍ୟମରେ ଏହି ରେଳ ଡିଭିଜନ ଏକ ନମ୍ବର ସ୍ଥାନ ଅଧିକାର କରି ପାରିଛି। ଆଗାମୀ ମାସଗୁଡ଼ିକରେ ମଧ୍ୟ ଏହି ସ୍ଥାନ ବଜାର ରଖିବାକୁ ସମସ୍ତେ ନିଷ୍ଠାର ସହ କାମ କରିବାକୁ ସେ ପରାମର୍ଶ ଦେଇଛନ୍ତି।

Share