ସମ୍ବଲପୁର ଷ୍ଟେଶନରୁ ଚାଲିଲା ସ୍ବତନ୍ତ୍ର ଟ୍ରେନ

ସମ୍ବଲପୁର,୮ା୬(ବ୍ୟୁରୋ): ମହାମାରୀ କରୋନା ଯୋଗୁ ସମ୍ବଲପୁର ଷ୍ଟେଶନରୁ ବନ୍ଦ ପଡିଥିବା ରେଳ ଚଳାଚଳ ଆରମ୍ଭ ହୋଇଛି। ସୋମବାର ସମ୍ବଲପୁର-ପୁରୀ ଇଣ୍ଟରସିଟି ଯାହା ପରିବର୍ତ୍ତନ ହୋଇ ଖୋର୍ଦ୍ଧା ପର୍ଯ୍ୟନ୍ତ ଚାଲିବ । ଏହି ଟ୍ରେନରେ ଯାତ୍ରା କରିବା ପାଇଁ ସମ୍ବଲପୁର ଷ୍ଟେଶନରୁ ୮୨ ଓ ଫାଟକ ଷ୍ଟେଶନରୁ ୨୦ ଜଣ ଟିକେଟ କରିଥିଲେ। ସେହିପରି ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି, ରାଉରକେଲା-ଭୁବନେଶ୍ୱର, ଭୁବନେଶ୍ୱର-କୋରାପୁଟକୁ ସ୍ବତନ୍ତ୍ର ଟ୍ରେନ ସମ୍ବଲପୁର ଷ୍ଟେଶନ ଦେଇ ଯାତାୟାତ କରିଛି । ଏହା ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। କରୋନା ଭୟ ରହିଥିବାରୁ ଯାତ୍ରୀ ସଂଖ୍ୟା କମିଯାଇଥିବା ଜଣାପଡିଛି । ଭୁବନେଶ୍ୱର-କୋରାପୁଟ ଟ୍ରେନ ସପ୍ତାହକରେ ୩ ଦିନ ଚାଲିବ। ସମସ୍ତ ଟ୍ରେନ ଶନିବାର ଓ ରବିବାର ବନ୍ଦ ହେବ ବୋଲି ସୂଚନା ମିଳିିଛି। ପ୍ରଥମଦିନରେ ଯାତ୍ରୀମାନଙ୍କୁ ଷ୍ଟେଶନ ବାହାରେ ଥର୍ମସ୍କାନ କରାଯାଇଥିଲା। ପରେ ଯାତ୍ରୀମାନେ ସାନିଟାଇଜରରେ ହାତ ଧୋଇଥିଲେ। କେବଳ ଯାତ୍ରୀମାନଙ୍କୁ ଷ୍ଟେଶନ ପରିସରକୁ ଯିବାକୁ ଅନୁମତି ଦିଆଯାଇଥିଲା। ରେଳ ଷ୍ଟେଶନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖିବାକୁ ମିଳିଥିଲା ।