ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନ ଦିଆଯାଉ: ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ରଖିବା ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଥରେ ଦୋହରାଇଛନ୍ତି। ସେ କହିଛନ୍ତି ଯେ ଅହିଂସା ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା ଦେଉଛି। ଅହିଂସା ହିଁ ଆମ ସ୍ବାଧୀନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମ ଠାରୁ ନିଆରା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଷ୍ଟ୍ରପତି ଭବନଠାରେ ଗୁରୁବାର ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ନିମନ୍ତେ ଗଠିତ ଜାତୀୟ କମିଟିର ଦ୍ୱିତୀୟ ବୈଠକରେ ଉଦ୍‌ବୋଧନ ଦେଇ ନବୀନ କହିଛନ୍ତି ଯେ ଅହିଂସା ହିଁ ଶାନ୍ତି, ବିକାଶ ଓ ସାମ୍ୟତାର ମାର୍ଗ। ତେଣୁ ବିକାଶ ଲାଗି ଗାନ୍ଧିଜୀଙ୍କ ଅହିଂସାକୁ ଯୁବ ସମାଜ ଆପଣାଇବା ପାଇଁ ସେ ଆହ୍ବାନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ଅହିଂସା ତତ୍ତ୍ୱରେ ଦର୍ଶାଯାଇଛି, ଦାରିଦ୍ର୍ୟ ଓ ସାମାଜିକ ଅବିଚାର ସବୁଠାରୁ ବଡ ହିଂସା। ଗାନ୍ଧିଜୀଙ୍କ ମତରେ ଯେତେବେଳ ପର୍ଯ୍ୟନ୍ତ ଦାରିଦ୍ର୍ୟ ରହିଥିବ ସ୍ବାଧୀନତାର ମୂଲ୍ୟ ଅର୍ଥହୀନ। ବିନା ଅହିଂସାରେ ଗରିବୀ ଦୂର କରାଯାଇପାରିବ ନାହିଁ। ଜାତି, ଧର୍ମ, ବର୍ଣ୍ଣ ଭିତ୍ତିରେ ସମାଜକୁ ବିଭକ୍ତ କରୁଥିବା ଶକ୍ତିର ପରାଜୟରେ ହିଁ ପ୍ରଗତି ହାସଲ କରାଯାଇପାରିବ। ତେଣୁ ଅହିଂସା ଶବ୍ଦ ଭାରତୀୟ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ ହେଲେ ତାହା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି। ଏହା ଭାରତ ତଥା ବିଶ୍ୱର ଭବିଷ୍ୟତ ପିଢିକୁ ଗାନ୍ଧିଜୀଙ୍କ ଏହି ଉକ୍ତିର ଦୃଢ ସତ୍ୟତା ସବୁଦିନ ସ୍ମରଣ କରାଇ ଦେଉଥିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share