Categories: ଜାତୀୟ

ସମ୍ବିଧାନ ସଂଶୋଧନ ଜରୁରୀ

ନୂଆଦିଲ୍ଲୀ,୨୦ା୬(ପି.ଟି.) : କେନ୍ଦ୍ର ସରକାର ଏକକାଳୀନ ନିର୍ବାଚନ ପାଇଁ ବିଚାର ଆଲୋଚନା ଚଳାଇଥିବାବେଳେ ଏଭଳି ବୃହତ୍‌ ପ୍ରକ୍ରିୟା ସକାଶେ ଆଇନ କମିଶନ ଏକ କଠୋର ଆଇନଗତ ଢାଞ୍ଚା ଲାଗି ସୁପାରିସ କରିଛନ୍ତି। ଗତ ଅଗଷ୍ଟରେ ଆଇନ କମିଶନ ଚିଠା ସୁପାରିସରେ ସମ୍ବିଧାନ ଓ ଜନପ୍ରତିନିଧି ଆଇନରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ। ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ କରାଯାଇପାରେ। କିନ୍ତୁ ଏଥିଲାଗି ଅନୂ୍ୟନ ସମ୍ବିଧାନର ଦୁଇଟି ନିୟମରେ ସଂଶୋଧନ ଅଣାଯିବା ଦରକାର। ସମ୍ବିଧାନର ଅନୁଚ୍ଛେଦ ୮୩(୨) ଏବଂ ୧୭୨(୧) ସଂଶୋଧନକୁ ସଂଖ୍ୟାଧିକ ରାଜ୍ୟ ସମର୍ଥନ କରିବା ଜରୁରୀ। ଲ କମିଶନଙ୍କ ଏହି ପ୍ରସ୍ତାବକୁ ସମର୍ଥନ କରି ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନ ଟି.ଏସ୍‌. କ୍ରିଷ୍ଣାମୂର୍ତ୍ତି କହିଛନ୍ତି, ‘ଗୋଟିଏ ଦେଶ ଏକ ନିର୍ବାଚନ’ ପରିକଳ୍ପନା ଆକର୍ଷଣୀୟ। କିନ୍ତୁ ସମ୍ବିଧାନ ସଂଶୋଧନ ବିନା ଏହା ସମ୍ଭବ ନୁହେଁ। ଏକକାଳୀନ ନିର୍ବାଚନ ପାଇଁ ଅନେକ ପ୍ରଶାସନିକ ବନ୍ଦୋବସ୍ତ ସହ ନିର୍ବାଚନ ଦାୟିତ୍ୱରେ ଅଧିକ ସଂଖ୍ୟକ ଅର୍ଦ୍ଧସାମରିକ ବଳ ମୁତୟନ ଜରୁରୀ ବୋଲି ୨୦୦୪ ସାଧାରଣ ନିର୍ବାଚନ ପରିଚାଳନା କରିଥିବା କ୍ରିଷ୍ଣାମୂର୍ତ୍ତି ମତବ୍ୟକ୍ତ କରିଛନ୍ତି।

Share