Categories: ଖେଳ

ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ନ ଥିଲେ ହେଲେ ବିଶ୍ୱକପ୍‌ ଦଳରେ ଆମିର

କରାଚି,୧୭।୫(ପି.ଟି.)- ପାକିସ୍ତାନ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମିରଙ୍କୁ ପ୍ରଥମେ ଅଣଦେଖା କରାଯାଇଥିଲେ ମଧ୍ୟ ପରେ ତାଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କାରାଯାଇଛି। ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପାକିସ୍ତାନ ବୋଲରମାନେ ସାଂଘାତିକ ଭାବେ ବିଫଳ ହେବା କାରଣରୁ ଚୟନକର୍ତ୍ତା ଆମିରଙ୍କ ଗୁରୁତ୍ୱକୁ ହୃଦୟଙ୍ଗମ କରିଛନ୍ତି। ଗୋଟିଏ ଟି୨୦ ଓ ଦୁଇଟି ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନମାନେ ପାକିସ୍ତାନ ବୋଲରଙ୍କୁ ନିର୍ମମ ପ୍ରହାର କରିଛନ୍ତି। ଫଳରେ ପାକିସ୍ତାନର ବୋଲିଂ ଦୁର୍ବଳତା ପଦାରେ ପଡିଛି। ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଦ୍ୱାରା ଘୋଷିତ ୧୫ ଜଣିଆ ବିଶ୍ୱକପ୍‌ ଦଳରେ ତାଙ୍କୁ ସାମିଲ କରାଯାଇ ନ ଥିଲା।
ଆମିର ଚିକେନ ଫକ୍ସରେ ପୀଡିତ ଅଛନ୍ତି ଓ ଲଣ୍ଡନରେ ତାଙ୍କର ଚିକିତ୍ସା ତଥା ପରୀକ୍ଷା କରାଯାଉଛି। ପାକିସ୍ତାନ ଟିମ୍‌ ମ୍ୟାନେଜମେଣ୍ଟ, ଅଧିନାୟକ ସର୍ଫରାଜ ଅହମ୍ମଦ, ହେଡ୍‌ କୋଚ୍‌ ମିକି ଆର୍ଥର ଆମୀରଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଓ ଠିକ୍‌ ସମୟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଆଶା ପ୍ରକାଶ କରିଛନ୍ତି। ଟିମ୍‌ ମ୍ୟାନେଜମେଣ୍ଟର ସହ ମୁଖ୍ୟ ଚୟନକର୍ତ୍ତା ଇଞ୍ଜାମାମ ଉଲ ହକ୍‌ ଏକମତ ହୋଇଛନ୍ତି। ତେବେ ବିଶ୍ୱକପ୍‌ ଆରମ୍ଭ ହେବା ବେଳକୁ ଅର୍ଥାତ୍‌ ମେ ୩୦ ସୁଦ୍ଧା ଆମୀର ସୁସ୍ଥ ହେବା ନେଇ ସେ ନିଶ୍ଚିତ ହେବାକୁ ଚାହାନ୍ତି ବୋଲି ଇଞ୍ଜାମାମ କହିଛନ୍ତି। ଏବେ ଆମିରଙ୍କ ମେଡିକାଲ ରିପୋର୍ଟକୁ ଟିମ୍‌ ମ୍ୟାନେଜମେଣ୍ଟ ଓ ଚୟନକମିଟି ଅପେକ୍ଷା କରିଛି। ଚିକେନ ଫକ୍ସର ଶିକାର ହେବା ପରଠାରୁ ଆମିରଙ୍କୁ ଲଣ୍ଡନ୍‌ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ପଠାଇ ଦିଆଯାଇଥିଲା। ଆସନ୍ତା ୨ ସପ୍ତାହ ମଧ୍ୟରେ ଯଦି ଆମିର ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରନ୍ତି ତାହାଲେ ସେ ବିଶ୍ୱକପ୍‌ ଦଳରେ ସାମିଲ ହୋଇପାରିବେ ବୋଲି କୁହାଯାଇଛି। ପୁଣି ଦିନିକିଆରେ କ୍ରମାଗତ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିବା ଆସିଫ ଅଲି ଯଦି ତାଙ୍କ ଫର୍ମ ବଜାୟ ରଖନ୍ତି ତାହାଲେ ତାଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇପାରେ ବୋଲି କୁହାଯାଇଛି।

Share