Categories: ଗଞ୍ଜାମ

ସମ୍ଭାବ୍ୟ ବନ୍ୟା ଆଶଙ୍କା : ମୁକାବିଲା ପାଇଁ ପ୍ରଶାସନ,ଜଳସମ୍ପଦ ବିଭାଗ ପ୍ରସ୍ତୁତ

ଭଞ୍ଜନଗର,୮।୮(ଡି.ଏନ.ଏ.)-ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ମଧ୍ୟ ଭଞ୍ଜନଗର ଉପଖଣ୍ଡରେ ପଡିବା ସମ୍ଭାବନା ରହିଛି। ତେଣୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର ଭଞ୍ଜନଗରରେ ବର୍ଷା ଲାଗି ରହିଛି। ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ବୁଧବାର ସନ୍ଧ୍ୟା ସୁଦ୍ଧା ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିନାହିଁ। ଜଳଭଣ୍ଡାର ଗୁଡିକରେ ବହୁତ କମ୍‌ ପାଣି ଥିବାରୁ ପାଣି ମଧ୍ୟ ଛଡାଯାଉନାହିଁ। ବର୍ଷା ଜଳ ହିଁ ବର୍ତ୍ତମାନ ଉପରମୁଣ୍ଡରୁ ଆସୁଛି। ଭଞ୍ଜନଗର ଜଳଭଣ୍ଡାରରେ ୫୭୦୦ ହେକ୍ଟୋମିଟର ଜଳଧାରଣ କ୍ଷମତା ଥିବାବେଳେ ବୁଧବାର ଅପରାହ୍ନ ୨ଟା ସୁଧା ୩୫୦୦ ହେକ୍ଟୋମିଟର ପାଣି ଅଛି। ମଙ୍ଗଳବାର ସନ୍ଧ୍ୟା ୬ଟାରୁ ବୁଧବାର ସକାଳ ୬ଟା ମଧ୍ୟରେ ଭଞ୍ଜନଗରରେ ୧୧୦ ମିଲିମିଟର ବର୍ଷା ହୋଇଛି। ସେହିଭଳି ଡହରେ ୯୦ ମିଲିମିଟର, ସୋରିଷମୂଳି ୭୧, ମାଧବରିଡା ୧୨୩, ଖଣ୍ଡରାବଳି ୧୩୦ରେ ମିଲିମିଟର ବର୍ଷା ହୋଇଛି। ସାମ୍ଭାବ୍ୟ ବନ୍ୟା ଆଶଙ୍କାକୁ ଦେଖି ଜଳସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବାଲିବସ୍ତା ମହଜୁଦ୍‌ ରଖାଯାଇଛି। ପ୍ରଶାସନ ପକ୍ଷରୁ ରାଜସ୍ବ ବିଭାଗ କର୍ମଚାରୀମାନେ ଗ୍ରାମାଞ୍ଚଳ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବନ୍ୟା ହେଲେ ଲୋକଙ୍କୁ କିଭଳି ସୁରକ୍ଷିତ ସ୍ଥାନକୁ ଆଣି ଖାଦ୍ୟ ଯୋଗାଇ ଦିଆଯିବ ସେନେଇ ଯୋଜନା କରାଯାଇଛି। ଏଥିସହ ବିଦ୍ୟାଳୟ ଗୁଡିକୁ ଆଜି ଜିଲା ପ୍ରଶାସନ ପକ୍ଷରୁ ଛୁଟି କରିଦିଆଯାଇଛି। ଭଞ୍ଜନଗରର ଅଧିକାଂଶ ଘରୋଇ ଶିକ୍ଷାନୁଷ୍ଠାନ ଖୋଲା ରହିଥିଲା। ଫନୀରେ ବେଲଗୁଣ୍ଠା ବ୍ଲକ ଧୁମୁଛାଇ ପଞ୍ଚାୟତର କିଛି ରାସ୍ତା କ୍ଷତିଗ୍ରସ୍ତ ହୋଇଥିଲା। ସେଥିମଧ୍ୟରୁ ପାଟୁଳିସାହି ଗ୍ରାମ ନିକଟ ଏକ ମାଟି ରାସ୍ତା ମରାମତି ହୋଇପାରିନାହିଁ। ପୁଣି ବନ୍ୟା ଆଶଙ୍କା ଦେଖାଦେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏନେଇ ଜଳସମ୍ପଦ ବିଭାଗ ନିର୍ବାହୀଯନ୍ତ୍ରୀ ନୀହାର ରଞ୍ଜନ ସାମନ୍ତରାୟଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ବର୍ତ୍ତମାନ ବନ୍ୟା ପରିସ୍ଥିତି ଉପୁଜିନାହିଁ। ଜଳଭଣ୍ଡାର ଗୁଡିକରେ ପାଣି କମ୍‌ ଅଛି। ତଥାପି ସାମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।