ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା, ମକ୍‌ଡ୍ରିଲ କୌଶଳ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୨।୬(ସ୍ବ.ପ୍ର): ମୌସୁମୀ କେରଳ ଛୁଇଁ ଥିବା ବେଳେ ଏହା ଓଡ଼ିଶାକୁ ଖୁବ ଶୀଘ୍ର ପ୍ରବେଶ କରିବ। ମୌସୁମୀ ପୂର୍ବରୁ ଜିଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ଓ ମକ୍‌ ଡ୍ରିଲ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତିରିକ୍ତ ଜିଲାପାଳ ରମାକାନ୍ତ ସେଠୀ ଅଧ୍ୟକ୍ଷତା କରିଥିଲେ । ଅତିରିକ୍ତ ଜିଲାପାଳ ସେଠୀ ବନ୍ୟା ପ୍ରସ୍ତୁତି ପାଇଁ ଜିଲାରେ ରହିଥିବା ଭିତ୍ତିଭୂମି ସମ୍ପର୍କରେ ସମୀକ୍ଷା କରିବା ସହିତ ଉପସ୍ଥିତ ଅଧିକାରୀ ଓ ସ୍ବେଛାସେବୀ ସଙ୍ଗଠନର କର୍ମକର୍ତ୍ତାମାନଙ୍କୁ ଆଗୁଆ ପ୍ରସ୍ତୁତି ନେଇ ସତର୍କ କରାଇଥିଲେ । ବନ୍ୟାରେ ବିଶେଷ ଭାବେ କଣ୍ଟାମାଳ ଓ ହରଭଙ୍ଗା ବ୍ଲକର ଅନେକ ଗ୍ରାମ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଛି । ସେହି ଅଞ୍ଚଳ ଗୁଡିକରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଜିଲାରେ ଥିବା ବନ୍ୟା ଆଶ୍ରୟସ୍ଥଳୀଗୁଡିକୁ ପ୍ରସ୍ତୁତ ରଖାଯିବା ସହିତ ସେଠାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଆବଶ୍ୟକତାକୁ ନେଇ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟ (ଛାତଘର) ଗୁଡିକୁ ମଧ୍ୟ ବନ୍ୟା ଆଶୟସ୍ଥଳୀ ଭାବେ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଥିଲା। ସାପ କାମୁଡା ଭଳି ଇଞ୍ଜେକ୍ସନ ଓ ଜରୁରୀ ଓଷଧ ମହଜୁଦ ରଖିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମ୍ଭାବିତ ବନ୍ୟାର ମୁକାବିଲା ପାଇଁ ବ୍ଲକ ଓ ଜିଲାସ୍ତରରେ ସଚେତନତା ସଭା କରି ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କୁ ସେଥିରେ ସାମିଲ କରିବା ପାଇଁ କୁହାଯାଇଥିଲା । ବନ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ପାଇଁ ଅଗ୍ନିଶମ ଓ ଓଡ୍ରାଫ ଦଳ ଦ୍ୱାରା ମକ୍‌ ଡ୍ରିଲ ମାଧ୍ୟମରେ କୌଶଳ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ଆସନ୍ତା ୧୯ ତାରିଖରେ କରାଯିବ। ବୈଠକରେ ତିନି ବ୍ଲକର ବିଡିଓ, ତହସିଲଦାର, ଏନଏସି ନିର୍ବାହୀ ଅଧିକାରୀ, ଶିକ୍ଷା ବିଭାଗ ଓ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ଆଇଆରବି ୫ମ ବାଟାଲିୟନର ଅଧିକାରୀ, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ଅଧିକାରୀ ଏବଂ ସ୍ବେଛାସେବୀ ଅନୁଷ୍ଠାନର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Share