ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି : ପହଞ୍ଚିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌

ଭଦ୍ରକ ଅଫିସ, ୧୬ା୫-ସମ୍ଭାବ୍ୟ ବାତ୍ୟା ‘ଅମ୍ଫନ୍‌’କୁ ମୁକାବିଲା କରିବା ପାଇଁ ଶନିବାର ଅପରାହ୍ନରେ ଭଦ୍ରକ ଜିଲା ପ୍ରଶାସନର ଏକ ଜରୁରିକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଅରୁଣ କୁମାର ମହାପାତ୍ର, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କୈଳାସ ଚନ୍ଦ୍ର ପରିଡ଼ା, ଉପଜିଲାପାଳ ପୀତାମ୍ବର ସାମଲଙ୍କ ସମେତ ବିଭିନ୍ନ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଡେପୁଟି କଲେକ୍ଟର(ଜରୁରୀ କାଳୀନ) ଜୟଶ୍ରୀ ସେନାପତି ବାତ୍ୟା ସମ୍ପର୍କିତ ବିଭିନ୍ନ ତଥ୍ୟ ରଖିଥିଲେ। ଜିଲାପାଳ ବାତ୍ୟା ମୁକାବିଲା ପାଇଁ ସମସ୍ତ ବିଭାଗ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଥିଲେ। ସମସ୍ତ ବିଭାଗୀୟ ଅଧିକାରୀଙ୍କ ଛୁଟି ବାତିଲ କରି ନିଜ ନିଜ କାର୍ଯ୍ୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଜିଲା ଜରୁରିକାଳୀନ ବିଭାଗର ପରାମର୍ଶ ନେଇ ତତ୍‌କ୍ଷଣାତ୍‌ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ଜିଲାରେ ଏକ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଓଡ୍ରାଫ୍‌ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି। ବାତ୍ୟା ମୁକାବିଲା ପାଇଁ ସ୍ବତନ୍ତ୍ର ତାଲିମପ୍ରାପ୍ତ ଅଗ୍ନିଶମ ବିଭାଗୀୟ ଅଧିକାରୀ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଓ ଓଡ୍ରାଫ୍‌ ଟିମ୍‌ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଜିଲାପାଳ ଡ. ଦାସ ନିର୍ଦ୍ଦେଶ ଦେଇଛନ୍ତି।