ସମ୍ଭାବ୍ୟ ମରୁଡି ପରିସ୍ଥିତିକୁ ନେଇ କୃଷି ବିଭାଗର ପ୍ରସ୍ତୁତି: ମାଓବାଦୀ ପ୍ରବଣ ଅଞ୍ଚଳରେ ଧାଡ଼ିରୁଆ ପାଇଁ ପଦକ୍ଷେପ

ଲାଞ୍ଜିଗଡ଼,୨୧।୮(ଡି.ଏନ.ଏ.)-ଚଳିତବର୍ଷ ଖରିଫ ଋତୁରେ ବିଳମ୍ବିତ ବର୍ଷା ଯୋଗୁ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଥିବା ବେଳେ ବୁଣାବୁଣି, ରୁଆରୁଇ ମଧ୍ୟ ପଛେଇଯାଇଛି । ବିଳମ୍ବରେ ବର୍ଷା ଯୋଗୁ ଚାଷୀ ଥଳକୁଳ ପାଉ ନ ଥିବାବେଳେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏ ଦିଗରେ ଅଣ୍ଟା ଭିଡି ଚାଷୀଙ୍କ ପଛରେ ଠିଆ ହେବା ଦେଖିବାକୁ ମିଳିଛି। ପ୍ରଥମ ପର୍ଯ୍ୟାୟରେ ରବିଋତୁରେ କୁଆପଥର ମାଡ ଖାଇ କ୍ଷତିଗ୍ରସ୍ତ ଗୋବର୍ଦ୍ଧନପୁର ପଞ୍ଚାୟତ ଅଞ୍ଚଳର ଚାଷୀଙ୍କୁ ବିଜିଆର୍‌ଆଇ ଯୋଜନାରେ ଧାନ ବିହନ ଯୋଗାଇ ଦେଇଥିବାବେଳେ କୃଷି କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଧାଡିରୁଆ ପାଇଁ ପ୍ରବର୍ତ୍ତାଯାଉଛି । ସେହିପରି ବ୍ଲକର ମାଓବାଦୀ ପ୍ରବଣ ମାଳିଯୁବାଙ୍ଗ, ବିଜେପୁର ଆଦି ପଞ୍ଚାୟତରେ ପ୍ରଥମ ଥର ପାଇଁ ପାରମ୍ପରିକ ଧାନଚାଷରୁ ପରିବର୍ତ୍ତିତ କରି ଧାଡିରୁଆ ଚାଷ କରିବାକୁ ଚାଷୀଙ୍କୁ ବୁଝାଯାଉଥିବା ବେଳେ ପାହାଡିଆ ତଥା ବୃଷ୍ଟିରହିତ ଅଞ୍ଚଳରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ଅତିରିକ୍ତ କୃଷି ଅଧିକାରୀ ସୁଧାଂଶୁ କୁମାର ମେହେରଙ୍କ ନେତୃତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମକୁ କୃଷିକ୍ଷେତ୍ରରେ ଗ୍ରାମ୍ୟ କୃଷି କର୍ମଚାରୀମାନେ କାର୍ଯ୍ୟକାରୀ କରୁଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଆସନ୍ନ ମରୁଡିକୁ ଦୃଷ୍ଟିରେ ରଖି ବ୍ଲକ କୃଷି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ନିଆଯାଇଥିବା ପଦକ୍ଷେପ ସଫଳ ସାବ୍ୟସ୍ତ ହୋଇଥିବା ବେଳେ ବ୍ଲକର ଶହଶହ ଚାଷୀ ବୀମାଭୁକ୍ତ ହୋଇପାରିଥିଲେ ।