ସମ୍ଭାବ୍ୟ ମହାବାତ୍ୟା ‘ଅମ୍ପନ’ର ମୁକାବିଲା ପାଇଁ ପ୍ରଶାସନକୁ ସହଯୋଗର ହାତ ବଢ଼ାଇଲା ସ୍ବେଛାସେବୀ ସଂଗଠନ

ଗଞ୍ଜାମ,୧୯।୫(ଡି.ଏନ୍‌.ଏ.): ମହାମାରୀ କରୋନା ପରେ ସାମୁଦ୍ରିକ ଝଡ଼ ବାତ୍ୟା ‘ଅମ୍ପନ’ ପାଇଁ ଚିନ୍ତିତ ହୋଇପଡିଛନ୍ତି ଗଞ୍ଜାମ ଜିଲାବାସୀ। ତେବେ ସହରର ଏକ ସ୍ବେଛାସେବୀ ସଂଗଠନ ଏହାର ମୁକାବିଲା ନିମନ୍ତେ ପ୍ରଶାସନକୁ ସହଯୋଗ ପାଇଁ ହାତ ବଢ଼ାଇଛି। ଏ ନେଇ କାଇଁଚପୁର ପଞ୍ଚାୟତ ସରପଞ୍ଚ ଜି. ସନ୍ତୋଷ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଋଷିକୂଲ୍ୟା ଗ୍ରାମ୍ୟ ବ୍ୟାଙ୍କ ନିକଟସ୍ଥ ଏକ କୋଠରିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମୁଦ୍ର ଉପକୂଳ ନିକଟବର୍ତ୍ତୀ ଅଞ୍ଚଳଗୁଡିକୁ ଯାଇ ସେଠାରେ ବାସ କରୁଥିବା ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ବ୍ଲକ ପ୍ରଶାସନକୁ ସହଯୋଗ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। କରୋନା ଯୋଗୁ ଦୈନିକ ସହ ସହ ସଂଖ୍ୟାରେ ଆସୁଥିବା ପ୍ରବାସୀଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ ଆଦି ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା l ଏଥିରେ ପୂର୍ବତନ କାଉନ୍‌ସିଲର ଦୁର୍ଗା ମାଧବ ପାଣିଗ୍ରାହୀ, ସାମାଜିକ କର୍ମୀ ବସନ୍ତ କୁମାର ସାହୁ, ଶ୍ୟାମା ରେଡ୍ଡି, ଲିଙ୍ଗରାଜ ପାତ୍ର, ପ୍ରଭାତ ସାହୁ, ମନୋରଞ୍ଜନ ସାହୁ, ଆଦିତ୍ୟ ମହାପାତ୍ର, ଉମା ଶଙ୍କର ଦାସ ପ୍ରମୁଖ ଉପସ୍ଥିତ ଥିଲେ l