ସମୟର ଆହ୍ବାନକୁ ସାମନା କରିବୁ-ସତ୍ୟଶିବ

ଭୋଗରାଇ, ୨୭।୫(ଡି.ଏନ.ଏ.)-ନିର୍ବାଚନରେ ପରାଜୟ ବରଣ କରି କଂଗ୍ରେସ ପକ୍ଷରୁ ମାନସ ମନ୍ଥନ ଆରମ୍ଭ ହୋଇଛି। ରବିବାର ସନ୍ଧ୍ୟାରେ କଂଗ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ପରାଜିତ ପ୍ରାର୍ଥୀ ସତ୍ୟଶିବ ଦାସ କହିଛନ୍ତି, ସମୟର ଆହ୍ବାନକୁ ଗ୍ରହଣ କରି ଲକ୍ଷ୍ୟ ସାଧନ ପାଇଁ ଆମକୁ ଐକ୍ୟବଦ୍ଧ ହେବାକୁ ପଡିବ। ଏଥିଲାଗି ସେ ଭୋଗରାଇବାସୀଙ୍କ ସହଯୋଗ କାମନା କରିଥିଲେ। ସେ ଆହୁରି କହିଥିଲେ ଜନତାଙ୍କ ସ୍ବରକୁ ଶକ୍ତି ଭାବେ ସଞ୍ଚୟ କରି ଆମେ ଭବିଷ୍ୟତ କାର୍ଯ୍ୟ ପନ୍ଥା ସ୍ଥିର କରିବୁ। ଅନ୍ୟାୟ, ଦୁର୍ନୀତି ବିରୋଧରେ ଆଗକୁ ଲଢ଼େଇ ଜାରି ରହିବ। ଗତ ନିର୍ବାଚନରେ କଂଗ୍ରେସ ନେତା ଓ କର୍ମୀଙ୍କ ଅକ୍ଳାନ୍ତ ଉଦ୍ୟମ ଓ ଧୈର୍ଯ୍ୟ ସେ ଭୁଲିପାରିବେ ନାହିଁ ବୋଲି କହିଥିଲେ। ଏହି ଅବସରରେ ସେ ନବନିର୍ବାଚିତ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଖବରଦାତା ସମ୍ମିଳନୀରେ କଂଗ୍ରେସ ଶାଖାର ସଭାପତି ଆଶିଷ କୁମାର ପାତ୍ର, ସମ୍ପାଦକ ସନ୍ତୋଷ କୁମାର ଜେନା, ଦୀପେଶ ଚନ୍ଦ୍ର ରାୟ, ଉପସଭାପତି ଗୋପବନ୍ଧୁ ମହାପାତ୍ର, ବରିଷ୍ଠନେତା ରବୀନ୍ଦ୍ର ପ୍ରଧାନ, ସୁମନ୍ତ ବେହେରା, ବରେନ୍ଦ୍ର କୁମାର ପାତ୍ର, ରାଜେନ୍ଦ୍ର ପଣ୍ଡା, ଛ’ ଜିଲାପରିଷଦ ଜୋନ୍‌ର ସଭାପତି ସମିତି ସଦସ୍ୟା ଓ ସଦସ୍ୟ, ସରପଞ୍ଚ ଉପସ୍ଥିତ ଥିଲେ।