ସରକାରଙ୍କଠାରୁ ସହଯୋଗ ଲୋଡ଼ିଲା ସିଆଇଆଇ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ହ୍ରାସ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଜାରି ରହିଛି। ଏହାଦ୍ୱାରା ଅର୍ଥନେତିକ ଗତିବିଧି ବହୁଳ ଭାବେ ପ୍ରଭାବିତ ହୋଇଛି। ତେଣୁ ଏହି କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳିବା ଦରକାର ବୋଲି କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରିଜ୍‌ (ସିଆଇଆଇ) ଓଡ଼ିଶା ଶାଖା ପକ୍ଷରୁ କୁହାଯାଇଛି।
ସିଆଇଆଇ ଓଡ଼ିଶା ଶାଖାର ଅଧ୍ୟକ୍ଷ ରାଜୀବ କୁମାର ଏ ସମ୍ପର୍କିତ ଏ ସୁଚିନ୍ତିତ ପ୍ରସ୍ତାବ ରାଜ୍ୟ ସରକାରଙ୍କ ନିକଟରେ ରଖିଛନ୍ତି। ରାଜ୍ୟର ଅଣସଙ୍ଗଠିତ ସ୍ତରରେ କାର୍ଯ୍ୟରତ ସଂସ୍ଥାଗୁଡ଼ିକର ସୁରକ୍ଷା ଉପରେ ବିଶେଷ ଦୃଷ୍ଟି ଦେବାକୁ କୁହାଯାଇଛି। ଏହି କ୍ଷେତ୍ରରେ ସର୍ବନିମ୍ନସ୍ତରରେ ରହିଥିବା ବ୍ୟକ୍ତିବିଶେଷଙ୍କୁ ସିଧାସଳଖ ଟଙ୍କା ପ୍ରଦାନ କରିବା ନେଇ କୁହାଯାଇଛି। ବିଭିନ୍ନ ଶିଳ୍ପସଂସ୍ଥାକୁ ବିଭିନ୍ନ ଋଣ ବାବଦକୁ ସବ୍‌ସିଡି, ସୁଧ ଛାଡ଼ ପାଇଁ ମଧ୍ୟ ସିଆଇଆଇ ଦାବି କରିଛି। ବିଭିନ୍ନ ସଂସ୍ଥାକୁ ଲକ୍‌ଡାଉନ ପରେ ବ୍ୟବସାୟିକ ବ୍ୟାଙ୍କ୍‌ଗୁଡ଼ିକ ପକ୍ଷରୁ ୱାର୍କିଂ କ୍ୟାପିଟାଲ ଯୋଗାଣ ଲାଗି ସରକାର ପଦକ୍ଷେପ ନିଅନ୍ତୁ ବୋଲି ପ୍ରସ୍ତାବ ଦିଆଯାଇଛି। ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌କୁ ପ୍ରାଥମିକ ଗୁରୁତ୍ୱ ଦେବା, ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡ଼ିକୁ ମାସ୍କ ଏବଂ ଫେସ୍‌ କଭର ପ୍ରସ୍ତୁତି ନେଇ ପ୍ରୋତ୍ସାହିତ କରାଯାଉ। ଓର୍‌ମାସ୍‌ ସାହାଯ୍ୟରେ ଏହାର ବିକ୍ରି ପାଇଁ ପଦକ୍ଷେପ ନିଆଯାଉ। ଏସ୍‌ଏଚ୍‌ଜି ଦ୍ୱାରା ଫିନାଇଲ୍‌ ଏବଂ ହ୍ୟାଣ୍ଡୱାଶ ଭଳି ଉତ୍ପାଦ ପ୍ରସ୍ତୁତି କରି ବଜାରକୁ ଛଡାଯିବା ନେଇ ପ୍ରସ୍ତାବ ରହିଛି। କୌଣସି ଉତ୍ପାଦ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ଦେଶବ୍ୟାପୀ ଯୋଗାଣରେ ସିଆଇଆଇ ସହାୟତା କରିବାକୁ ଆଗ୍ରହ ପ୍ରକାଶ କରିଛି। ଏହିସବୁ ବ୍ୟାପାର ସମୟରେ ବିଭିନ୍ନ ଆନ୍ତଃରାଜ୍ୟ ସୀମାରେ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ। ଏଥିସହିତ କ୍ଷେତ୍ରସ୍ତରରେ ପୋଲିସ କର୍ମଚାରୀଙ୍କ ସହଯୋଗ ନେଇ ସିଆଇଆଇ ପକ୍ଷରୁ ଦାବି କରାଯାଇଛି।

Share