ସରକାରଙ୍କୁ କ୍ରଶର ମାଲିକ ସଂଘର ଚେତାବନୀ

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ଖୋର୍ଦ୍ଧା ଖଣି-ଖାଦାନ ବେପାରରେ ଅପରାଧୀଙ୍କ ସମ୍ପୃକ୍ତିକୁ ନେଇ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ (ସ୍ପେଶାଲ ଟାସ୍କ ଫୋର୍ସ) ଟିମ ଖୋଳତାଡ ଚଳାଇଛି। ବେଆଇନ ଖନନକାରୀ ଅଭିଯୁକ୍ତଙ୍କୁ ଏସ୍‌ଟିଏଫ ଗିରଫ କରୁଛି। କ୍ରଶର ମାଲିକମାନଙ୍କୁ ସରକାର ‘ଓ୍ବାଇ’ ଫର୍ମ ଯୋଗାଇ ଦେଉନାହାନ୍ତି। ଫଳରେ ଅନେକ ପଥର ଖାଦାନ ନିଲାମଧାରୀ ଗୋଟିଏ ଏକର ଖୋଳିବାକୁ ଓ୍ବାଇ ଫର୍ମ ଜରିଆରେ ଅନୁମତି ଆଣି ବେଆଇନ ଭାବେ ୫ ଏକରରୁ ଊର୍ଦ୍ଧ୍ୱ ଖୋଳୁଛନ୍ତି। ଉଚିତ ଟଙ୍କା ଦେଇ ଖାଦାନରୁ କଞ୍ଚାମାଲ ଉଠାଉଥିଲେ ମଧ୍ୟ ଓ୍ବାଇ ଫର୍ମ ଅଭାବରୁ ଅନେକ କ୍ରଶରକୁ ବେଆଇନ ଘୋଷଣା କରାଯାଉଛି। ଗଞ୍ଜାମରେ ଏଭଳି ୧୫ରୁ ଊର୍ଦ୍ଧ୍ୱ କ୍ରଶର ମାଲିକ ଗିରଫ ହୋଇଛନ୍ତି। ଏଣୁ ବିପଦ ଆଶଙ୍କାରେ ଭୟଭୀତ ହୋଇ ଜୁଲାଇ ୨୭ରୁ ଖୋର୍ଦ୍ଧାର ଅନେକ କ୍ରଶର ବନ୍ଦ ହୋଇଯାଇଛି ବୋଲି ନିଖିଳ ଓଡ଼ିଶା ପଥର ମାଲିକ ଫେଡେରେଶନ କହିଛି। ସରକାର କଞ୍ଚାମାଲ ଯୋଗାଇବାରେ ଅବହେଳା କଲେ ୧୯୯୯ ପରି ରାଜ୍ୟବ୍ୟାପୀ ଆନ୍ଦୋଳନ ହେବ ବୋଲି ସଂଘର ସଭାପତି ରାମଜାନ ଖାନ ଚେତାବନୀ ଦେଇଛନ୍ତି। ଏ ନେଇ ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଖାନ କହିଛନ୍ତି, ପଥରର ଖନନ କାର୍ଯ୍ୟରେ ଅପରାଧୀଙ୍କ ସମ୍ପୃକ୍ତି ଘଟଣାରେ ଏସ୍‌ଟିଏଫର ତଦନ୍ତକୁ ସଂଘ ସ୍ବାଗତ କରୁଛି। ସାଧାରଣ ଲୋକର ଘରକାମ ଠାରୁ ଆରମ୍ଭ କରି ସରକାରଙ୍କର ଇନ୍ଦିରା ଆବାସ, ବିଜୁ ପକ୍କା ଘର, ମୋ କୁଡିଆ, ରୋଡ, ବିଲ୍ଡିଂ, ବ୍ରିଜ କାର୍ଯ୍ୟ ପାଇଁ ପଥର ଓ ଚିପସ ଆବଶ୍ୟକ। ଏଥିପାଇଁ କ୍ରଶର ଶିଳ୍ପ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କିନ୍ତୁ ସରକାର ଏହି ବ୍ୟବସାୟକୁ ଚଳାଇବା ନେଇ ସୁବନ୍ଦୋବସ୍ତ ଆଇନ ଆଣୁନାହାନ୍ତି। ରାଜ୍ୟର ହଜାର ହଜାର ବେକାର ଯୁବକ ଏବଂ ଲକ୍ଷାଧିକ ଶ୍ରମିକ କ୍ରଶର ଶିଳ୍ପରେ କାମ କରି ଜୀବିକା ନିର୍ବାହ କରିପାରିବେ। ରାଜ୍ୟରେ ୨୨୦୦ କ୍ରଶର ଥିବାବେଳେ କେବଳ ଖୋର୍ଦ୍ଧାରେ ୪ ଶହ କ୍ରଶର ରହିଛି। ଖୋର୍ଦ୍ଧା ଜିଲାରେ ୪୦ ପ୍ରତିଶତ କ୍ରଶର ଶିଳ୍ପ ଜଗନ୍ନାଥଙ୍କ ଜମି ଉପରେ ଗଢି ଉଠିଛି। ଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଏହି ଜମିର ଭଡାକୁ ବଢାଇବା ପରେ ବ୍ୟବସାୟୀ ଭଡା ଦେଇ ପାରୁ ନ ଥିବାରୁ କ୍ରଶର ଚଳାଇବା ଅସମ୍ଭବ ହେଉଛି। ଏହାକୁ ସରକାର କମ କରି ସହଯୋଗର ହାତ ବଢାଇଲେ କ୍ରଶର ଶିଳ୍ପ ସୁଚାରୁ ରୂପେ ଚାଲିବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

Share