ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ମଙ୍ଗଳବାର ଠାରୁ ଆରମ୍ଭ ହେଉଛି। ଉଭୟ ବିରୋଧୀ ଓ ଶାସକ ପରସ୍ପରକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥର କଂଗ୍ରେସକୁ ହଟାଇ ଭାଜପା ମୁଖ୍ୟ ବିରୋଧୀ ଦଳ ଆସନରେ ବସିଛି। ଗତ ବିଧାନସଭା ଅଧିବେଶନଗୁଡିକରେ କଂଗ୍ରେସ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଉଥିଲା। ଭାଜପା ସାମିଲ ହୋଇ କଂଗ୍ରେସକୁ ବଳ ଯୋଗାଉଥିଲା। ଏଥର ଅଧିବେଶନ ପୂର୍ବରୁ ରାଜନୈତିକ ଦୃଶ୍ୟପଟ୍ଟରେ ଭିନ୍ନ ପରିବେଶ ସୃଷ୍ଟି ହୋଇଛି। ଭାଜପା ଓ କଂଗ୍ରେସ ମଧ୍ୟରେ ତାଳମେଳ ନାହିଁ। ଚଳିତ ଅଧିବେଶନରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା ମନୋନୀତ ହୋଇଛନ୍ତି । ସେ ନିଜ ଦଳର ସଦସ୍ୟ ଓ କଂଗ୍ରେସକୁ ସାଥିରେ ନେଇ କେତେଦୂର ଏହି ଗୁରୁଦାୟିତ୍ୱ ସମ୍ପାଦନ କରୁଛନ୍ତି ତାହା ଉପରେ ରହିଛି ସମସ୍ତଙ୍କ ନଜର।
ରାଜ୍ୟ ସଭା ନିର୍ବାଚନରେ ଭାଜପା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାକୁ ଘୋଷଣା କରିବା ପରେ ଉଭୟ ଭାଜପା ଓ ରାଜ୍ୟ ସରକାରଙ୍କୁ ଘେରିବାକୁ କଂଗ୍ରେସକୁ ମୌକା ମିଳିଯାଇଛି। ଗୃହରେ ଭାଜପାର ବିରୋଧୀ ଭୂମିକାକୁ ନେଇ ମଧ୍ୟ କଂଗ୍ରେସ ସନ୍ଦେହ ପ୍ରକାଶ କରିଛି। କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ବିଜେଡି ସହିତ ଖୋଲାଖୋଲି ବୁଝାମଣା କରିଥିବା ଭାଜପା ସରକାରକୁ କିପରି ଘେରିବ ତାହା ସହଜରେ ଅନୁମାନ କରାଯାଇ ପାରେ। ଚଳିତ ଅଧିବେଶନରେ କଂଗ୍ରେସ ରାଜ୍ୟ ସଭା ପ୍ରାର୍ଥୀ, ଧାନର ଅଭାବୀ ବିକ୍ରି, ଶିକ୍ଷା, ସ୍ବାସ୍ଥ୍ୟ ଆଦିକୁ ପ୍ରସଙ୍ଗ କରିବ। ମାତ୍ର ଭାଜପା ସ୍ବାସ୍ଥ୍ୟ, ଶିକ୍ଷା, ଧାନର ଅଭାବୀ ବିକ୍ରି, ଆଦିବାସୀ ପ୍ରସଙ୍ଗଗୁଡିକୁ ବିଧାନସଭାରେ ଉଠାଇବାକୁ ରଣନୀତି ପ୍ରସ୍ତୁତ କରିଥିବା ସୂଚନା ମିଳିଛି। ଅନ୍ୟ ପକ୍ଷରେ ବିଜେଡି ଏଥର ଆକ୍ରମଣାତ୍ମକ ଭୂମିକା ଛାଡିି ରକ୍ଷଣାତ୍ମକ ଭୂମିକା ଗ୍ରହଣ କରିବ। ପୂର୍ବରୁ ବିଜେଡି କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ବିରୋଧୀ ଦଳକୁ ଘେରୁଥିଲା। ତେବେ ଭାଜପା ପ୍ରାର୍ଥୀଙ୍କୁ ରାଜ୍ୟ ସଭା ନିର୍ବାଚନରେ ସମର୍ଥନ କରିବା ପରେ ବିଜେଡି ସେତେଟା ଆକ୍ରମଣାତ୍ମକ ମୁଡ୍‌ରେ ରହିବ ନାହିଁ ନେଇ ଚର୍ଚ୍ଚା ହେଉଛି।

Share