ସରକାରଙ୍କୁ ବରିଷ୍ଠ ନାଗରିକଙ୍କ ଚିନ୍ତା:ପ୍ରତି ବ୍ଲକ୍‌ରେ ହେବ ଡେ’ କେୟାର ସେଣ୍ଟର

ଭୁବନେଶ୍ୱର, ୨-୯(ବ୍ୟୁରୋ):ବରିଷ୍ଠ ନାଗରିକଙ୍କ ପାଇଁ ଆଶ୍ରୟସ୍ଥଳୀ, ସ୍ବାସ୍ଥ୍ୟସେବା, ସୁରକ୍ଷା ସାଙ୍ଗକୁ ନିଃସଙ୍ଗତା ଦୂର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ପ୍ରତି ଜିଲାରେ ଜରାନିବାସ ଓ ପୁନର୍ବାସ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ସହ ପ୍ରତି ବ୍ଳକ୍‌ରେ ବୟସ୍କମାନଙ୍କ ନିମନ୍ତେ ‘ଡେ’ କେୟାର ସେଣ୍ଟର’ ପ୍ରତିଷ୍ଠା କରିବାକୁ ଯୋଜନା ରହିଥିବା ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
ଅନ୍ତର୍ଜାତୀୟ ବୟସ୍କ ଦିବସ ଉପଲକ୍ଷେ ମଙ୍ଗଳବାର ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ବିଭିନ୍ନ ଯୋଜନାରେ ରାଜ୍ୟର ୩୧ଲକ୍ଷ ବରିଷ୍ଠ ନାଗରିକ ଉପକୃତ ହେଉଥିବା କହିଥିଲେ। ସାମାଜିକ ସୁରକ୍ଷା ପେନ୍‌ସନ୍‌କୁ ସାର୍ବଜନୀନ କରାଯାଇ ସମସ୍ତ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ଏଥିରେ ସାମିଲ କରାଯାଉଥିବା ବିଭାଗୀୟ ସଚିବ ଭାସ୍କରଜ୍ୟୋତି ଶର୍ମା କହିଥିଲେ। କାର୍ଯ୍ୟକ୍ରମରେ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ପୋଲିସ୍‌ ପକ୍ଷରୁ ‘ସହାୟତା’ ନାମରେ ଏକ ନିଃଶୁଳ୍କ ଆପ୍‌ ଏବଂ ପ୍ରତି ରବିବାର ଅପରାହ୍ନରେ ସବୁ ଥାନାରେ ସେମାନଙ୍କ ସମସ୍ୟା ସମ୍ପର୍କରେ ପୋଲିସ ଆଲୋଚନା କରୁଥିବା କହିଥିଲେ। ଭୁବନେଶ୍ୱରର ପ୍ରତି ୱାର୍ଡରେ ଗୋଟିଏ ଲେଖାଏ ‘ଡେ’ କେୟାର ସେଣ୍ଟର’ ସାଙ୍ଗକୁ ପାର୍କଗୁଡ଼ିକରେ ‘ଜିମ୍‌’ ଖୋଲାଯିବ ବୋଲି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ କହିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଶ୍ରେଷ୍ଠ ସଂଗଠକ ଭାବେ କଟକ ବରିଷ୍ଠ ମହାସଭା, ବିଭିନ୍ନ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ ରାୟଗଡାର ଗୋଲକନାଥ ବେହେରା, ଫୁଲବାଣୀର ଦେବାନନ୍ଦ ପାତ୍ର, ବଲାଙ୍ଗୀରର ନରସିଂହ ପ୍ରସାଦ ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସେବାରେ ବ୍ୟକ୍ତିଗତ ଉଦ୍ୟମ ପାଇଁ ଖୋର୍ଦ୍ଧା ଜିଲାର ନଗେନ୍ଦ୍ର ମିଶ୍ରଙ୍କୁ ‘ବୟୋଜ୍ୟେଷ୍ଠ ସମ୍ମାନ’ ପ୍ରଦାନ କରାଯାଇଥିଲା।

Share