ସରକାରଙ୍କୁ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ: ଟ୍ରାଫିକ ନିକଟରେ ଅସହାୟଙ୍କୁ ଚିହ୍ନଟ କର

ଭୁବନେଶ୍ୱର,୭।୧(ବ୍ୟୁରୋ): କଟକ, ଭୁବନେଶ୍ୱର ଏବଂ ପୁରୀରେ ଟ୍ରାଫିକ ନିକଟରେ ପିଲାଛୁଆ ଧରି ଭିକ୍ଷାବୃତ୍ତି କରୁଥିବା ଯୁବତୀ ଓ ମହିଳାମାନେ ଏବଂ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଓଡ଼ିଶା ମାନବିକ ଅଧିକାର କମିଶନ(ଓଏଚଆରସି) ମୁଖ୍ୟ ଶାସନ ସଚିବ ଏବଂ ଗୃହ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଏକ ମାମଲାର ଶୁଣାଣି କରି କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଫିକ ପୋଷ୍ଟ ନିକଟରେ ମାନସିକ ଅନଗ୍ରସର ବ୍ୟକ୍ତି, ଯୁବତୀ ଏବଂ ମହିଳାମାନେ ପିଲାଙ୍କୁ କାଖରେ ଧରି ଭିକ୍ଷା ମାଗୁଥିବା ଦୃଶ୍ୟ ସହରାଞ୍ଚଳଗୁଡିକରେ ଏକ ସାଧାରଣ କଥାରେ ପରିଣତ ହେଲାଣି। ଭିକ୍ଷା ମାଗୁଥିବା ଅଧିକାଂଶ ମହିଳା ଓ ଯୁବତୀ ଓଡ଼ିଶାର ନୁହନ୍ତି। ସହର ମଧ୍ୟରେ ଏଭଳି ଅଜଣା ଲୋକମାନେ ଅନେକ ସମୟରେ ଦ୍ୱୈତ୍ୟ ନଗରୀରେ ଅପରାଧ କରିବାକୁ ପଛାଉ ନାହାନ୍ତି। ମାନସିକ ବିକାରଗ୍ରସ୍ତ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ କମିଶନ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଲୋକମାନଙ୍କୁ ଯାଞ୍ଚ କରି ସେମାନଙ୍କର ପ୍ରକୃତ ଠିକଣା ବିଷୟରେ ଅବଗତ ହେବା ଦରକାର। ଏଥିସହିତ ଯଦି ସେମାନେ ଅନ୍ୟ ରାଜ୍ୟର ହୋଇଥିବେ ତେବେ ସେମାନଙ୍କୁ ତାଙ୍କ ସ୍ଥାନକୁ ପଠାଇବାକୁ ବ୍ୟବସ୍ଥା କରିବାକୁ କମିଶନ ପରାମର୍ଶ ଦେଇଛନ୍ତି। ଏଭଳି ବୁଲୁଥିବା ଲୋକମାନଙ୍କ ବିଷୟରେ ଯାଞ୍ଚ କରିବା ଅତ୍ୟନ୍ତ ଜରୁରୀ। ସେହି ବ୍ୟକ୍ତିମାନେ ରାଜ୍ୟକୁ କେଉଁ ଉଦ୍ଦେଶ୍ୟରେ ଆସିଛନ୍ତି ତାହାକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Share