ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା କୁହାଯାଉଛି। ସ୍ବିଜରଲାଣ୍ଡ ସରକାର ଭାରତ ସରକାରଙ୍କୁ ସ୍ବିସ ବ୍ୟାଙ୍କରେ ଅର୍ଥ ଜମା ରଖିଥିବା ଭାରତୀୟଙ୍କର ତାଲିକା ପ୍ରଦାନ କରିଛନ୍ତି। ଏହି ତାଲିକାରେ ରହିଛି ଜମାକାରୀଙ୍କ ନାମ, ଠିକଣା, ଆକାଉଣ୍ଟ ନମ୍ବର, ନାଗରିକତ୍ବ ଥିବା ଦେଶ ଓ ଟିକସ ନମ୍ବର ଇତ୍ୟାଦି। ଏହି ତଥ୍ୟ ମିଳିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରୀ ଏଜେନ୍ସି ପକ୍ଷରୁ କୁହାଯାଇଛି। କେବଳ ଭାରତ ନୁହେଁ, ମୋଟ ୭୫ଟି ଦେଶକୁ ସ୍ବିଜରଲାଣ୍ଡ ଏହି ସୂଚନା ପ୍ରଦାନ କରିଛି। ଅନ୍ୟପଟେ ଏହାର ପରବର୍ତ୍ତୀ ତାଲିକା ୨୦୨୦ରେ ଭାରତକୁ ଦିଆଯିବ ବୋଲି ଜଣାପଡ଼ିଛି।