ସରକାରଙ୍କୁ ରିଷି କପୁରଙ୍କ ଅନୁରୋଧ: ସନ୍ଧ୍ୟାରେ ଖୋଲାଯାଉ ମଦ ଦୋକାନ

ମୁମ୍ବାଇ,୨୮।୩: କରୋନା ଭାଇରସର ଭୟାବହତାକୁ ଦେଖି ସାରା ଦେଶ ଲକ୍‌ଡାଉନ୍‌ ଥିବା ବେଳେ ଏହାକୁ ନେଇ ସମୟ ସମୟରେ ବଲିଉଡ୍‌ର ଭେଟେରାନ କଳାକାର ରିଷି କପୁର ଟୁଇଟର୍‌ରେ କିଛି ନା କିଛି ଶେୟାର କରୁଥିବା ଦେଖାଯାଇଛି। ଏହି ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ରେ ରିଷି ଲେଖିଛନ୍ତି ମୋର ସରକାରଙ୍କୁ ଅନୁରୋଧ ଲକ୍‌ଡାଉନ୍‌ ସମୟରେ ପ୍ରତିଦିନ ସନ୍ଧ୍ୟାରେ ସମସ୍ତ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଉ। ଲକ୍‌ଡାଉନ୍‌ ସମୟରେ ଲୋକେ ଘରେ ବସି ବସି ଯେଉଁ ମାନସିକ ଦୁଶ୍ଚିନ୍ତା ଭିତରକୁ ଚାଲି ଯାଉଛନ୍ତି ମଦ ଦୋକାନ ଖୋଲିଲେ ତାହା ଦୂର ହେବ ବୋଲି ସେ କହିଛନ୍ତି। ଏହାସହ ରିଷି ଲେଖିଛନ୍ତି ମୋତେ ଭୁଲ୍‌ ବୁଝିବେନି। ଏମିତିକି ଡାକ୍ତର, ପୋଲିସ ମଧ୍ୟ ଏହି ସମୟରେ ରିଲାକ୍ସ ହେବା ଦରକାର। ଏମିତିରେ ତ ବ୍ଲାକରେ ଏହା ବିକ୍ରି କରାଯାଉଛି। ହେଲେ ସରକାରଙ୍କ ଅନୁମତି କ୍ରମେ ମଦ ଦୋକାନ ଖୋଲାଗଲେ ଭଲ ବୋଲି ସେ କହିଛନ୍ତି। ଏଥିରୁ ସବୁ ରାଜ୍ୟ ସରକାର ଲାଭାନ୍ବିତ ହେବେ। ବଲିଉଡ୍‌ର ଜଣେ ଭେଟେରାନ୍‌ କଳାକାର ଭାବେ ରିଷିଙ୍କର ଏହି ମନ୍ତବ୍ୟକୁ କେତେଜଣ ନିନ୍ଦା ମଧ୍ୟ କରିଛନ୍ତି। କେହି କେହି ୟୁଜର୍ସ କହିଛନ୍ତି ଏହି ସମୟରେ ମଦ୍ୟପାନ ଶରୀର ପାଇଁ କ୍ଷତିକାରକ ହୋଇପାରେ। ଆଉ କିଏ କହିଛନ୍ତି ମଦ ଦୋକାନ ଖୋଲିଲେ ସେଠାରେ ଲୋକଙ୍କର ଭିଡ କରୋନା ସଂକ୍ରମଣକୁ ଦ୍ୱିଗୁଣିତ ବି କରିପାରେ।

Share