Advertisement

ସରକାରଙ୍କ ଅବହେଳା ପ୍ରତିବାଦ: ଆନ୍ଦୋଳନକୁ ଓହ୍ଲାଇବ ମିଳିତ କ୍ରିୟାନୁଷ୍ଠାନ କମିଟି

କେନ୍ଦୁଝର,୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପ୍ରତି ସରକାରଙ୍କ ଅବହେଳା ପ୍ରତିବାଦରେ ପୁଣି ଆନ୍ଦୋଳନ ହେବ। ପୂର୍ବରୁ କରାଯାଇ ଆସୁଥିବା ପାଞ୍ଚ ଦଫା ଦାବି ଅଦ୍ୟାବଧି ପୂରଣ ହୋଇ ନ ଥିବାରୁ ଏଭଳି ନିଷ୍ପତ୍ତି ନେଇଛି ମିଳିତ କ୍ରିୟାନୁଷ୍ଠାନ କମିଟି। କମିଟିର ଷଷ୍ଠ ପ୍ରତିଷ୍ଠା ଦିବସରେ ଆୟୋଜିତ ଏକ ସଭାରେ ଏନେଇ ଆଲୋଚନା ହୋଇଛି। କମିଟିର ଆବାହକ ତଥା ଆଇନଜୀବୀ ରୁଦ୍ର ନାରାୟଣ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲାର ବିଭିନ୍ନ ଦଳ, ସଂଗଠନର ସଦସ୍ୟ ତଥା ସାଧାରଣ ଲୋକ ଉପସ୍ଥିତ ରହି ଆଲୋଚନା କରିଥିଲେ। କମିଟିର ଆନ୍ଦୋଳନ କ୍ରମେ ମେଡିକାଲ କଲେଜ ସ୍ଥାପନ କରାଯାଇଥିଲେ ଏଥିପାଇଁ ସରକାର ବଜେଟରେ ଅନୁଦାନ ଦେଲେ ନାହିଁ କିମ୍ବା ଗେଜେଟ ନୋଟିଫିକେସନ କଲେ ନାହିଁ। ଫଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏତଦ୍‌ବ୍ୟତୀତ ବୃହତ୍‌ ଇସ୍ପାତ ଶିଳ୍ପ ପ୍ରତିଷ୍ଠା, କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଚମ୍ପୁଆ ଓ ଆନନ୍ଦପୁରକୁ ରେଳପଥ ସଂଯୋଗ, ଧରଣୀଧର ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଓ ବୈତରଣୀ ନଦୀକୁ ଲୋକାଭିମୁଖୀ ପରିଚାଳନା ଦାବି ପୂରଣ ହୋଇ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିପାଇଁ ପୁଣି ଦାବି ଉପସ୍ଥାପନ କରାଯିବ। ଏଥିପ୍ରତି ସରକାର କର୍ଣ୍ଣପାତ ନ କଲେ ପୁନର୍ବାର କମିଟି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel