ସରକାରଙ୍କ ଆନ୍ତରିକତା ନ ଥିଲା; ଗୁରୁବାର ଓଡ଼ିଶା ଇତିହାସରେ ସ୍ମରଣୀୟ ଦିନ ହୋଇ ରହିବ: ବିଜୟ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭାଜପା ନେତା ବିଜୟ ମହାପାତ୍ର। ସେ କହିଛନ୍ତି, ଓଡ଼ିଶା ଇତିହାସରେ ଗୁରୁବାର ସ୍ମରଣୀୟ ଦିନ ହୋଇ ରହିବ। ଏଥିନେଇ ଚକ୍ରାନ୍ତ ଓ ଷଡ଼ଯନ୍ତ୍ର ଚାଲିଛି ବୋଲି ଆଶଙ୍କା କରାଯାଉଥିଲା। ଶେଷରେ ତାହା ସଫଳ ହୋଇଛି। ସ୍ନାନଯାତ୍ରାଠାରୁ ଏବେ ପର୍ଯ୍ୟନ୍ତ ସବୁ ନୀତିକାନ୍ତି କଟକଣା ମଧ୍ୟରେ ହୋଇଛି। କିନ୍ତୁ ରାଜ୍ୟ ସରକାର ସନ୍ଦେହ ଘେରରେ ରହିଲେ। କାରଣ ରଥଯାତ୍ରା କରିବାକୁ ସରକାରଙ୍କ ଆନ୍ତରିକତା ନ ଥିଲା। କଟକଣା ମାନି ରଥଯାତ୍ରା କରିବାକୁ ସତ୍ୟପାଠ ସରକାର ଦେଇପାରିଥାନ୍ତେ। ରଥଯାତ୍ରାରେ ୧୦ ଲକ୍ଷ ଜନସମାଗମ ହେବ ନାହିଁ ଭଳି ଯୁକ୍ତି ହୋଇପାରିଲାନି। ଦାମି ଓକିଲ ଦେଇ ରଥଯାତ୍ରାକୁ ଏଭଳି ସ୍ମରଣୀୟ କରିବା ଠିକ୍‌ ହେଲାନାହିଁ। ଅନ୍ୟ ନୀତିକାନ୍ତି କିଭଳି ହେବ ଆନ୍ତରିକତା ଓ ନିଷ୍ଠାର ସହ ସରକାର କରନ୍ତୁ ବୋଲି ବିଜୟ କହିଛନ୍ତି।

ପ୍ରକାଶ ଯେ, ଜୁନ୍‌ ୨୩ରେ ରଥଯାତ୍ରାକୁ ନେଇ ସମସ୍ତ ପ୍ରସ୍ତୁତି ଚାଲିଥିଲା। ହେଲେ ଗୁରୁବାର ସୁପ୍ରିମକୋର୍ଟ ରଥଯାତ୍ରା ହେବ ନାହିଁ ବୋଲି ନିଷ୍ପତ୍ତି ଶୁଣାଇବା ପରେ ଭକ୍ତ ଓ ସେବାୟତମାନେ ନିରାଶ ହୋଇଛନ୍ତି। ଏହାକୁ ସହଜରେ ସେମାନେ ଗ୍ରହଣ କରିପାରୁନାହାନ୍ତି। ଏପରିକି ରଥଯାତ୍ରା ହେବା ଦାବିରେ ଶ୍ରୀକ୍ଷେତ୍ର ସୁରକ୍ଷା ବାହିନୀ ଏବଂ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ୬ ଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଛି।

Share