Categories: ଅନୁଗୋଳ

ସରକାରଙ୍କ ନିକଟରୁ ପହଞ୍ଚିଲା ଚିଠି: ଅନୁଗୋଳର ୩୫୫ ମେଧାବୀଙ୍କୁ ମିଳିବ ଲାପ୍‌ଟପ୍‌

ବନ୍ତଳା, ୮ା୧୨(ଡି.ଏନ.ଏ.) ୨୦୧୮ ଶିକ୍ଷାବର୍ଷରେ ଯୁକ୍ତ ୨ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅନୁଗୋଳ ଜିଲାର ପ୍ରାୟ ୩୫୫ ଜଣ ମେଧାବୀ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ପକ୍ଷରୁ ଲାପ୍‌ଟପ ଯୋଗାଇ ଦିଆଯିବ। ଏ ସମ୍ପର୍କିତ ଚିଠି ଶନିବାର ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲାର ୮ଟି ବ୍ଲକ, ୨ଟି ମ୍ୟୁନିସିପାଲିଟି, ଗୋଟିଏ ଏନ୍‌ଏସିରେ ଥିବା ୩୨ଟି ସରକାରୀ/ବେସରକାରୀ ମହାବିଦ୍ୟାଳୟର ୩୫୫ ଜଣ ମେଧାବୀ ଛାତ୍ରୀଛାତ୍ର ରାଜ୍ୟ ସରକାରଙ୍କଠାରୁ ଲାପ୍‌ଟପ୍‌ ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ବିଭିନ୍ନ ବର୍ଗ ଓ ବିଭାଗ ଅନୁଯାୟୀ ମେଧାବୀ ଚୟନ ନିମନ୍ତେ ନିର୍ଦ୍ଦିଷ୍ଟ କଟ୍‌ଅଫ୍‌ ମାର୍କକୁ ମାନଦଣ୍ଡ ଭାବେ ରଖାଯାଇଥିବା ବେଳେ ଚଳିତ ମାସରେ ଏହି ଲାପଟପ ବଣ୍ଟନ କରାଯିବ। ଜିଲାର ଏହି ମେଧାବୀମାନଙ୍କ ମଧ୍ୟରେ ସର୍ବାଧିକ ଛାତ୍ରୀଛାତ୍ର ଅନୁଗୋଳ ସ୍ବୟଂଶାସିତ ଯୁକ୍ତ ୨ ମହାବିଦ୍ୟାଳୟର ଥିବା ଜଣାପଡ଼ିଛି। ଏହି ମହାବିଦ୍ୟାଳୟର ୧୦୩ ଜଣ ଛାତ୍ରୀଛାତ୍ର ତାଲିକାରେ ଥିବାବେଳେ ବନ୍ତଳା ଶ୍ରୀଚନ୍ଦ୍ରଶେଖର ଜୁନିୟର ମହାବିଦ୍ୟାଳୟ କଳା ଓ ବିଜ୍ଞାନରେ ୧୬ ଜଣ, ତଳମୂଳ ଆଞ୍ଚଳିକ ମହାବିଦ୍ୟାଳୟର ୨, ଅଙ୍ଗପଡା ଆଞ୍ଚଳିକ ମହାବିଦ୍ୟାଳୟର ୩, ଅନୁଗୋଳ ମହିଳା ମହାବିଦ୍ୟାଳୟର ୧୩, ଆଠମଲ୍ଲିକ ଜୁନିୟର ମହାବିଦ୍ୟାଳୟର ଜଣେ, ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟର ୮, ଅନୁଗୋଳ ସା ମହାବିଦ୍ୟାଳୟର ୨, ବଇଣ୍ଡା ଜନତା ମହାବିଦ୍ୟାଳୟର ୫, କିଶୋରନଗର କଲେଜର ୨୩, କୋଶଳା କଲେଜର ଜଣେ ଛାତ୍ରୀଛାତ୍ର ରହିଛନ୍ତି। ସେହିପରି ପାଲଲହଡ଼ା ମାଲ୍ୟଗିରି କଲେଜର ୧୦, ପରାବିଲ ପବିତ୍ରନଗର କଲେଜର ୨, ଅଇଡା ପଇଁଚକୂଳ କଲେଜର ୪, ଜରପଡା ପତିତପାବନ କଲେଜର ୫ ଜଣ ମେଧାବୀଙ୍କୁ ମନୋନୀତ କରାଯାଇଛି। ନାଲ୍‌କୋନଗର ସରସ୍ବତୀ ବିଦ୍ୟାମନ୍ଦିର ମହାବିଦ୍ୟାଳୟର ୧୫, ମାଧପୁର ସତ୍ୟବାଦୀ ମହାବିଦ୍ୟାଳୟର ୩, ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ଜଣେ, ତାଳଚେର ଟିଟିପିଏସ୍‌ ଥର୍ମାଲ ମହାବିଦ୍ୟାଳୟର ୧୬, ତାଳଚେର ସ୍ବୟଂଶାସିତ ଜୁନିୟର କଲେଜର ୨୪ ଜଣ ଏହି ତାଲିକାରେ ରହିଛନ୍ତି। ସେହିପରି ଖମାର ଉତ୍କଳମଣି ଗୋପବନ୍ଧୁ କଲେଜର ୭ ଜଣ, ତାଳଚେର ସାଉଥ ବଲଣ୍ଡା ନୀଳକଣ୍ଠେଶ୍ୱର କଲେଜର ଜଣେ, ମହର୍ଷି ନାଚୁରାଲ ଓ ଆଇନ ମହାବିଦ୍ୟାଳୟର ଜଣେ, ନାଲ୍‌କୋନଗର ରିଜିଓନାଲ କଲେଜ କୁଲାଡ଼ର ଜଣେ, ଅନୁଗୋଳ ଶିମିଳିପଡା ବିନାୟକ ମହାବିଦ୍ୟାଳୟର ୨୯ ଜଣ, ଗଡ଼ତଳ କଲେଜର ୨ ଜଣ, ଅନୁଗୋଳ ମହିମା ଜ୍ୟୋତି ମହାବିଦ୍ୟାଳୟର ୧୦ ଜଣ ଏହି ପୁରସ୍କାର ପାଇଁ ଚୟନ ହୋଇଛନ୍ତି। ଓମ୍‌ ବିଦ୍ୟାଭାରତୀ ରେସିଡେଣ୍ଟାଲ କଲେଜର ୧୬ ଜଣ, ଅନୁଗୋଳ ଶିମିଳିପଡା ସିଦ୍ଧି ବିନାୟକ କଲେଜର ୧୨, ଖଲାରୀ ଶ୍ରୀ ଅରବିନ୍ଦ ବିଜ୍ଞାନ ଓ କମର୍ସ ମହାବିଦ୍ୟାଳୟର ୫, ତାଳଚେର ହାଣ୍ଡିଧୂଆଁ ବାସୁଦେବ ମହାବିଦ୍ୟାଳୟର ୮, ଅନୁଗୋଳ ଶ୍ରୀରାମଦେବ କଲେଜର ଜଣେ ଏବଂ ସଂସ୍କୃତ ଓ ଭୋକେଶନାଲରେ ୫ଜଣ ରାଜ୍ୟ ସରକାରଙ୍କଠାରୁ ଲାପ୍‌ଟପ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏ ବିଷୟରେ ଅନୁଗୋଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଉଦୟ ନାଥ ବେହେରା କୁହନ୍ତି, ଶନିବାର ସରକାରଙ୍କ ପକ୍ଷରୁ ଚିଠି ଆସିଛି। ଜିଲାର ପ୍ରାୟ ୩୫୫ ମେଧାବୀ ଲାପ୍‌ଟପ ପାଇବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ପ୍ରତ୍ୟେକ ମହାବିଦ୍ୟାଳୟକୁ ଚିଠି କରାଯିବ। ପରୀକ୍ଷା ପରେ ଡିସେମ୍ବର ୧୭ରୁ ୩୧ ମଧ୍ୟରେ ଲାପଟପ୍‌ ବଣ୍ଟନ କରାଯିବ। ଏହା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ଜଣାଇ ଦିଆଯିବ।