Categories: ବାଣିଜ୍ୟ

ସରକାରଙ୍କ ସହଯୋଗ ଲୋଡ଼ିଲା ଭୋଡାଫୋନ

ନୂଆଦିଲ୍ଲୀ,୧୩-୧୧: ବିଭିନ୍ନ ବୈଧାନିକ ଦେୟ ବାବଦକୁ ପ୍ରାୟ ୯୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଟେଲିକମ୍‌ କମ୍ପାନୀଙ୍କୁ ସୁପ୍ରିମକୋର୍ଟ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନେଇ ପ୍ରମୁଖ ଟେଲିକମ୍‌ କମ୍ପାନୀ ଭୋଡାଫୋନର ସିଇଓ ନିକ୍‌ ରିଡ୍‌ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସରକାର ଏହି ଦେୟ ପ୍ରଦାନ ଲାଗି କମ୍ପାନୀଙ୍କୁ ବାଧ୍ୟକଲେ ଏହା ପରିଚାଳନାରେ ଅସୁବିଧା ସୃଷ୍ଟି କରିବ। ଏହା ହେଲେ ଭାରତରେ ଭୋଡାଫୋନର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଆସିପାରେ ବୋଲି କମ୍ପାନୀ ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଭାରତୀୟ ଟେଲିକମ ଶିଳ୍ପରେ ବହୁତ ଚାର୍ଜ ଏବଂ ଟିକସ ଲାଗୁ ହେଉଥିବାରୁ ଏହା ଶିଳ୍ପ ଲାଗି ବାଧକ ସାଜିଥିବା ସେ ମତ ରଖିଛନ୍ତି।
ଏଭଳି ବିଭିନ୍ନ କାରଣ ଲାଗି ଭାରତରେ ଟେଲିକମ୍‌ ଶିଳ୍ପ ଅପରେଟରଙ୍କ ସ୍ଥିତି ଅତ୍ୟନ୍ତ ଖରାପ ହୋଇଥିବା ସେ ପ୍ରକାଶ କରିଛନ୍ତି। ସେହିଭଳି ସରକାରଙ୍କ କଠୋର ନିୟମକୁ ନେଇ ସେ ଉଦବେଗ ପ୍ରକାଶ କରିଛନ୍ତି। ଭୋଡାଫୋନ ଆଇଡିଆଇକୁ ବିଭିନ୍ନ ଦେୟ ବାବଦରେ ୪୦ ହଜାର କୋଟି ଦେବାକୁ ସରକାର କହିଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିବା ବେଳେ ସରକାରଙ୍କ ପକ୍ଷରେ ରାୟ ଆସିଛି। ନିକଟରେ ଭୋଡାଫୋନ କହିଥିଲା ଯେ ଏହା ଭାରତ ବଜାରରେ ନିବେଶ ଜାରି ରଖିବ। ହେଲେ ଏଥିଲାଗି ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି। ସେହିଭଳି ଭୋଡାଫୋନ ଭାରତ ଛାଡୁଥିବା ଖବର ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଏହାକୁ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି। ସରକାର ଟେଲିକମ୍‌ କମ୍ପାନୀଗୁଡିକ ଲାଗି ବିଭିନ୍ନ ପ୍ରୋତ୍ସାହନ ପଦକ୍ଷେପ ଏବଂ ରିହାତି ବ୍ୟବସ୍ଥା ଆଣିବା ଉପରେ ଉପରେ ସେ ମତ ରଖିଛନ୍ତି।

Share