ସରକାରୀ ଅଧିକାରୀ,କର୍ମଚାରୀଙ୍କୁ ଜିଲାପାଳଙ୍କ ଚେତାବନୀ: ଅନୁପସ୍ଥିତ ରହିଲେ ନିଲମ୍ବନ

ପୁରୀ ଅଫିସ,୬ା୪: ବିଶ୍ୱ ମହାମାରୀ କରୋନା ସହିତ ଲଢୁଛି ବିଶ୍ୱ। କିପରି ଏହାକୁ ମୁକାବିଲା କରାଯାଇପାରିବ ତାହାକୁ ନେଇ ସମସ୍ତେ ଚିନ୍ତିତ। ଦିନକୁ ଦିନ ଅଧିକ ଉଗ୍ର ହେଉଛି କରୋନା। ରାଜ୍ୟରେ କରୋନା ଅକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚତ୍ଲାଣି। ଏଭଳି ଘଡ଼ିସନ୍ଦି ମୁହୂର୍ତ୍ତରେ ସରକାର କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ଯେଉଁ ନିର୍ଦ୍ଦେଶନାମା ଜାରି କରୁଛନ୍ତି ତାହାକୁ କାର୍ଯ୍ୟକାରୀ କରିବାରେ ସରକାରୀ ଅଧିକାରୀ ଏବଂ କର୍ମଚାରୀଙ୍କ ଗୁରୁଦାୟିତ୍ୱ ରହିଛି। ଯଦି ସେମାନେ ସତର୍କ ଏବଂ ତାଗିଦ୍‌ ନ କରିବେ କିମ୍ବା ଜନସାଧାରଣଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାର ତଦାରଖ ନ କରିବେ ତେବେ ସ୍ଥିତି ଅସମ୍ଭାଳ ହୋଇପଡ଼ିବ। ଯେଉଁ ଉଦ୍ଦେଶ୍ୟ ନେଇ ଲକ୍‌ଡାଉନ, ଶଟ୍‌ଡାଉନ କରାଯାଉଛି ତାହା ସମ୍ପୂର୍ଣ୍ଣ ଫେଲ୍‌ ମାରିବ ଏବଂ କରୋନା ଲଢେଇରେ ଆମେ ବିଫଳ ହେବା। କିନ୍ତୁ ଅନେକ ସରକାରୀ ଅଧିକାରୀ ସେମାନଙ୍କ ଡ୍ୟୁଟି ଠିକ୍‌ ଭାବେ କରୁନାହାନ୍ତି। ଏପରି କି ପୁରୀ ଜିଲାର ବହୁ ଅଧିକାରୀ ଏବଂ କର୍ମଚାରୀ ଧାର୍ଯ୍ୟ ସମୟରେ କାର୍ଯ୍ୟାଳୟକୁ ଆସୁନାହାନ୍ତି। ତେଣୁ କରୋନା ମୁକାବିଲା କ୍ଷେତ୍ରରେ ବିଭିନ୍ନ ସମୟରେ ସମସ୍ୟା ଉପୁଜୁଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଜିଲାରେ ଜଣେ କରୋନା ଆକ୍ରାନ୍ତ ବି ଚିହ୍ନଟ ହୋଇଗଲେଣି। ତେଣୁ ପ୍ରଶାସନ ପାଇଁ ଆଗକୁ ଚ୍ୟାଲେଞ୍ଜ ଥିବାରୁ ଏଦିଗରେ କଠୋର ଆଭିମୁଖ୍ୟ ଆପଣାଇଛନ୍ତି ଜିଲାପାଳ ବଲୱନ୍ତ ସିଂ। କୌଣସି ଅଧିକାରୀ ଏବଂ କର୍ମଚାରୀ ଯଦି ଅନୁପସ୍ଥିତ ରୁହନ୍ତି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସ୍ବରୂପ ନିଲମ୍ବନର ଚେତାବନୀ ଦେଇଛନ୍ତି।