ସରକାରୀ ଅର୍ଥ ହେରଫେର ମାମଲାରେ ମଉସୁଧା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ଗିରଫ

ଚାନ୍ଦବାଲି,(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମଉସୁଧା ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ତଥା ପ୍ରାକ୍ତନ ସରପଞ୍ଚ ବ୍ରଜ ମଲ୍ଲିକଙ୍କୁ ବାଂଶଡ଼ା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରିଛି । ସରକାରୀ ଅର୍ଥ ହେରଫେର ମାମଲାରେ ବିଡିଓ ଶ୍ୟାମସୁନ୍ଦର ଟୁଟୁଙ୍କ ଅଭିଯୋଗକ୍ରମେ ତାଙ୍କୁ ଗିରଫ କରାଯାଇଛି। ତେବେ ଶନିବାର ଅପରାହ୍ନରେ ବ୍ରଜଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଉକ୍ତ ପଞ୍ଚାୟତର ବିଭିନ୍ନ ଯୋଜନାରେ ଦୁର୍ନୀତି କଥା ସୂଚନା ଅଧିକାର ବଳରେ ସାମ୍ନାକୁ ଆସିଥିଲା। ଏ ନେଇ ତଦନ୍ତ ପରେ ଗତମାସରେ ବିଡିଓ ମଉସୁଧା ସରପଞ୍ଚ ଶାନ୍ତିଲତା ମଲ୍ଲିକ ଓ ତାଙ୍କ ସ୍ବାମୀ ପ୍ରାକ୍ତନ ସରପଞ୍ଚ ବ୍ରଜ ମଲ୍ଲିକଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ନେଇ ଏକ ମାମଲା (କେସ୍‌ ନଂ. ୨୨୬/୧୯) ରୁଜୁ ହୋଇଥିଲା। ତେବେ ଗିରଫ ଭୟରେ ଉଭୟ ସ୍ତ୍ରୀସ୍ବାମୀ ଫେରାର ଥିଲେ ା ସେମାନଙ୍କୁ ତୁରନ୍ତ ଗିରଫ ଦାବିରେ ଚାନ୍ଦବାଲି ବ୍ଲକ ଭାଜପା ପକ୍ଷରୁ ମଉସୁଧା ବଜାରରେ ସାଧାରଣ ସଭା ସହ ଥାନା ଘେରାଉ ଚେତାବନୀ ଦିଆଯାଇଥିଲା।