ସରକାରୀ ଅସହଯୋଗ, ଅଟକିଛି ଲଞ୍ଚ ଆମ୍ବୁଲାନ୍ସ

ତେନ୍ତୁଳିଖୁଣ୍ଟି,୭।୧୨(ଡି.ଏନ୍‌.ଏ.)
ଜଳବନ୍ଦୀଙ୍କୁ ଜରୁରିକାଳୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଲଞ୍ଚ ଆମ୍ବୁଲାନ୍ସ(୧୦୮) ବ୍ୟବସ୍ଥା କରାଯାଇଛି। କିନ୍ତୁ ସ୍ଥାନୀୟ ପ୍ରଶାସନର ସହଯୋଗ ଅଭାବରୁ ସେଗୁଡିକ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ ପାରୁନାହିଁ। ଫଳରେ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା କଲେଜ ଛକରେ ଲଞ୍ଚ ଆମ୍ବୁଲାନ୍ସ ବୋଝେଇ ଏକ ଟ୍ରଲର ଦୁଇ ଦିନ ହେବ ଅଟକି ରହିଛି। ମୁମ୍ବାଇରୁ ଲଞ୍ଚ ଆମ୍ବୁଲାନ୍ସ ନେଇ ଏକ ଟ୍ରଲର ୨୪ ନଭେମ୍ବରରୁ ଓଡିଶା ଅଭିମୁଖେ ବାହାରିଥିଲା। ତାହା ବୁଧବାର ଖାତିଗୁଡାସ୍ଥିତ କଲେଜଛକରେ ପହଞ୍ଚତ୍ ଥିଲା। ଡ୍ରାଇଭର ଦର୍ଶନ ସିଂ ଲଞ୍ଚ ଆମ୍ବୁଲାନ୍ସକୁ ଜଳବନ୍ଦୀ ଅଞ୍ଚଳରେ ପହଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି, କିନ୍ତୁ ତାଙ୍କୁ ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳିନି। ମୁମ୍ବାଇରୁ ଏହି ଲଞ୍ଚ ଆମ୍ବୁଲାନ୍ସ ପଠାଇଥିବା ସଂସ୍ଥାର ଅଧିକାରୀମାନେ ଚିତ୍ରକୋଣ୍ଡା ଜଳବନ୍ଦୀ ଅଞ୍ଚଳରେ ଅଛନ୍ତି। ସେମାନଙ୍କ ସହ ଯୋଗାଯୋଗ ହୋଇପାରୁନି ବୋଲି ଦର୍ଶନ କହିଛନ୍ତି। ଟ୍ରଲରଟି ଖାତିଗୁଡ଼ା ଜଳବନ୍ଦୀ ଅଞ୍ଚଳକୁ ଯିବାକୁ ହେଲେ ରାସ୍ତା ପାର୍ଶ୍ୱରେ ଥିବା କିଛି ଡାଳ କାଟିବାକୁ ପଡିବ। ଏହି ସମୟରେ ବିଦ୍ୟୁତ୍‌ ସେବା ବନ୍ଦ କରିବାକୁ ହେବ, ନଚେତ ସଟସର୍କିଟର ଆଶଙ୍କା ରହିଛି ବୋଲି ଦର୍ଶନ ସିଂ କହିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ସହଯୋଗ ବିନା ଏହା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଶୁକ୍ରବାର ଗୋଡାପଦର ଗ୍ରାମପଞ୍ଚାୟତ ସାମାଜିକ କର୍ମୀ ପ୍ରେମ ନାୟକ ଦର୍ଶନ ସିଂଙ୍କୁ ଡ୍ୟାମ ପର୍ଯ୍ୟନ୍ତ ରାସ୍ତା ଦେଖାଇଥିଲେ। ପରଜାବାରଙ୍ଗପଦର ଜଙ୍ଗଲ ସୁରକ୍ଷା କମିଟିର ସଭାପତି ଦୁର୍ଯ୍ୟୋଧନ ହରିଜନ ମଧ୍ୟ ତାଙ୍କ ସହ କଥା ହୋଇ ସମସ୍ତ ସହଯୋଗ କରିବେ ବୋଲି କହଛନ୍ତି। କିନ୍ତୁ ପ୍ରଶାସନର କୌଣସି ଅଧିକାରୀଙ୍କ ସହଯୋଗ ବିନା ଏହା ସମ୍ଭବ ନୁହେଁ। ଏ ସବୁ ପାଇଁ ଆବଶ୍ୟକ ଖର୍ଚ୍ଚ କିଏ କରିବ ବୋଲି ପ୍ରଶ୍ନ ଉଠୁଛି। ତୁରନ୍ତ ଲଞ୍ଚ ଆମ୍ବୁଲାନ୍ସକୁ ଜଳବନ୍ଦୀ ଅଞ୍ଚଳରେ ପହଞ୍ଚାଇବା ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହେଉଛି ।

Share