ସରକାରୀ କଟକଣା ଖିଲାପ କଲେ ଆଜିଠାରୁ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ମୁକାବିଲାକୁ ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ସମ୍ପ୍ରତି ବାହାର ରାଜ୍ୟରୁ ପ୍ରବାସୀମାନେ ଫେରୁଥିବା ହେତୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ପ୍ରବାସୀଙ୍କ ଫେରିବା ପାଇଁ ସ୍ବତନ୍ତ୍ର ବସ୍‌ ଓ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଏପରିକି ସେମାନେ ଫେରିବା ପରେ ସମସ୍ତଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ଲାଗି ପଞ୍ଚାୟତସ୍ତରରେ ବ୍ୟବସ୍ଥା କରାଯାଇଛି। ଏସବୁ ସତ୍ତ୍ୱେ କିଛି ବିଶୃଙ୍ଖଳିତ ଆଚରଣ କରିବା ସହ ସରକାରୀ କଟକଣାକୁ ଉଲ୍ଲଂଘନ କରୁଥିବା ନଜରକୁ ଆସୁଛି। ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜିଠାରୁ ଅର୍ଥାତ ରବିବାରଠାରୁ ଏହାର ଆରମ୍ଭ ହୋଇଛି ବୋଲି ଖବରଦାତା ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ କହିଛନ୍ତି।

ଦୁଇ ମାସ ଧରି ସରକାରୀସ୍ତରରେ କରୋନା ମୁକାବିଲା କ୍ଷେତ୍ରରେ ଉପଲବ୍ଧି ମିଳିଛି। ଏବେ ଏଥିରେ କୌଣସି ପରିସ୍ଥିତିରେ ସାଲିସ୍‌ କରାଯିବ ନାହିଁ। ଅମାନିଆଙ୍କ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ। ବାହାରୁ ଆସୁଥିବା ପ୍ରବାସୀ ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ତାଙ୍କ କ୍ୱାରାଣ୍ଟାଇନ୍‌ ସ୍ଥାନ ପରିବର୍ତ୍ତନ, ଅବଧି ବଢ଼ାଯିବା ଯିବା ଗିରଫ ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ଏଣୁ କ୍ଷମତାପ୍ରାପ୍ତ ସରପଞ୍ଚମାନେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥାକୁ ପାଳନ କରାଯାଉଛି କି ନାହିଁ ତାହା ତଦାରଖ କରିବେ। ଉଲ୍ଲଂଘନ ହେଲେ ସେମାନେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଏପରିକି ସେମାନେ ଜିଲା ପ୍ରଶାସନକୁ ଏ ବିଷୟରେ ଅବଗତ କରିପାରିବେ ବୋଲି ମଧ୍ୟ ସେ କହିଛନ୍ତି।

Share