ସରକାରୀ କର୍ମଚାରୀଙ୍କୁ ମିଡିଆ କଟକଣା: ମତାମତ ଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ସରକାରୀ ଅଧିକାରୀ ଓ କର୍ମଚାରୀ ସରକାରଙ୍କ ବିନା ଅନୁମତିରେ କୌଣସି ପ୍ରକାର ମନ୍ତବ୍ୟ, ଲେଖା କିମ୍ବା ବିବୃତି ଗଣମାଧ୍ୟମକୁ ଦେଇପାରିବେ ନାହିଁ। ଏହା ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି-୧୯୫୯ର ବିରୋଧାଚରଣ ବୋଲି ଧରାଯିବ। ବିନାନୁମତିରେ କୌଣସି ଗଣମାଧ୍ୟମକୁ ବିବୃତି ଦେବା କିମ୍ବା ଲେଖା ପ୍ରଦାନ କଲେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ଏଭଳି ଚେତାବନୀ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବିଭିନ୍ନ ବିଭାଗ ପ୍ରମୁଖ ସଚିବ, ସଚିବ, ସ୍ବତନ୍ତ୍ର ସଚିବ, ସମସ୍ତ ଆର୍‌ଡିସି ଏବଂ ଜିଲାପାଳଙ୍କୁ ଚିଠି ଲେଖି ଜଣାଇ ଦିଆଯାଇଛି।
ଚିଠିରେ ଉଲ୍ଲେଖ କରାଯାଇଛି ଯେ, କେତେକ ସରକାରୀ ଅଧିକାରୀ ଓ କର୍ମଚାରୀ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି ୧୯୫୯ରେ ଥିବା ନିୟମକୁ ଉଲ୍ଲଂଘନ କରି ଛାପା, ଇଲେକ୍ଟ୍ରୋନିକ ଏବଂ ସୋସିଆଲ ମିଡିଆରେ ନିଜର ମତାମତ ରଖୁଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହା ଆଚରଣ ନିୟମର ଖୋଲାଖୋଲି ଉଲ୍ଲଂଘନ। କର୍ମଚାରୀ ଆଚରଣ ବିଧି ୧୯୫୯ର ଧାରା ୭ ରେ ସରକାରଙ୍କୁ ସମାଲୋଚନା କଲାଭଳି କୌଣସି ପ୍ରକାର ମତାମତ ଗଣମାଧ୍ୟମକୁ ଦେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କେବଳ କ୍ଷମତାସୀନ ଅଧିକାରୀ ହିଁ ଗଣମାଧ୍ୟମକୁ ମତାମତ ଦେଇ ପାରିବେ। ଏ ନେଇ ବିଭାଗ ପକ୍ଷରୁ ପୂର୍ବରୁ ଅନେକ ଥର ସରକାରୀ କର୍ମଚାରୀ ଆଚରଣବିଧି ପାଳନ ନେଇ ସଚେତନତା କରାଯାଇଛି। ୨୦୧୭ ଜୁନ ୨୯ରେ ମଧ୍ୟ ଏ ନେଇ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଥିଲା। ଏହା ଉପରେ କି ପଦକ୍ଷେପ ନିଆଯାଇଛି ଜଣାଇବାକୁ କୁହାଯାଇଛି। ଏ ନେଇ ବିଭିନ୍ନ ସମୟରେ ସମୀକ୍ଷା କରାଯିବ। ଯଦି କୌଣସି ସରକାରୀ କର୍ମଚାରୀ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି ଉଲ୍ଲଂଘନ କରିବା ଜଣାପଡିବ ତେବେ ସେମାନଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

Share