ସରକାରୀ କର୍ମଚାରୀଙ୍କ କାର୍ଯ୍ୟ ସମୟ ଅଧଘଣ୍ଟା ବଢ଼ିଲା, ୪ର୍ଥ ଶନିବାର ସରକାରୀ ଅଫିସ ଛୁଟି

ଭୁବନେଶ୍ୱର, ୨୩ା୬(ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ କରିବା ସମୟସୀମା ବୃଦ୍ଧି କରାଯାଇଛି। ଏଣିକି ସମସ୍ତ କର୍ମଚାରୀ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ମିନିଟ୍‌ ଯାଏ ଅଫିସରେ ରହିବାକୁ ବାଧ୍ୟ। ମଧ୍ୟାହ୍ନଭୋଜନ ପାଇଁ ଅଧଘଣ୍ଟା ସମୟ ମିଳିବ। ଏଥିସହିତ ପ୍ରତ୍ୟେକ ମାସର ୪ର୍ଥ ଶନିବାରକୁ ସରକାରୀ ଛୁଟି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହାକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶନିବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ ସରକାରୀ କର୍ମଚାରୀଙ୍କ ପାଇଁ ପ୍ରତ୍ୟେକ ମାସର ଚତୁର୍ଥ ଶନିବାର ଛୁଟି ରହିବ। ଏହି ଦିବସ ଛୁଟି ରହୁଥିଲେ ମଧ୍ୟ ପ୍ରତ୍ୟେକ ବିଭାଗୀୟ ଦପ୍ତର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ୩୦ ମିନିଟ୍‌ ଯାଏ ଖୋଲା ରହିବ। ଏହି ସମୟରେ ପ୍ରଶାସନିକ କାର୍ଯ୍ୟରେ ୫-ଟି (ଟେକ୍ନୋଲୋଜି, ଟିମ୍‌ଓ୍ବାର୍କ, ଟ୍ରାନ୍ସପାରେନ୍ସି, ଟାଇମ୍‌ ଓ ଟ୍ରାନ୍ସଫରମେଶନ)କୁ କର୍ମଚାରୀମାନେ କିଭଳି ପାଳନ କରୁଛନ୍ତି ସେ ନେଇ ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଆୟୋଜନ କରାଯିବ। ରାଜ୍ୟର ବିକାଶ କ୍ଷେତ୍ରରେ କର୍ମଚାରୀମାନେ ଏହି କର୍ମଶାଳାରେ ନିଜର ସୁଚିନ୍ତିତ ମତାମତ ଦେଇ ପାରିବେ। ପ୍ରଶାସନିକ କାର୍ଯ୍ୟକୁ ଚଳଚଞ୍ଚଳ କରିବାକୁ ଏଭଳି କରାଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ସରକାରୀ କର୍ମଚାରୀଙ୍କ କାର୍ଯ୍ୟ କରିବା ସମୟ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିଲା। ମଧ୍ୟାହ୍ନଭୋଜନ ଛୁଟି ଅଧ ଘଣ୍ଟାଏ ରଖାଯାଇଥିଲା। ଏଥିସହିତ ପ୍ରତ୍ୟେକ ମାସର ଦ୍ୱିତୀୟ ଶନିବାର ଛୁଟି ଘୋଷଣା କରାଯାଇଥିଲା। ତେବେ ପୂର୍ବରୁ ପ୍ରଚଳିତ ମାସର ଦ୍ୱିତୀୟ ଶନିବାର ଛୁଟି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି। ଏହି ବିଜ୍ଞପ୍ତି ପରେ ସଚିବାଳୟର ଜଣେ କର୍ମଚାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ, ଚତୁର୍ଥ ଶନିବାର ଯେଉଁ କର୍ମଶାଳା ଓ ଦକ୍ଷତା ଶିବିର କରିବାକୁ ନିଷ୍ପତ୍ତି ହୋଇଛି, ତାହା କେବଳ କାଗଜ କଲମରେ ସୀମିତ ରହିବା ଛଡା କିଛି ନୁହେଁ। କିଛିମାସ ସରକାରୀ ନିୟମ ପାଳନ କରାଯିବ । ପରେ କେବଳ କର୍ମଚାରୀମାନେ ଛୁଟିରେ ରହିବା ଛଡା ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବ ନାହିଁ।

Share