ସରକାରୀ କଲେଜ ଅଧ୍ୟାପକ ନିଯୁକ୍ତି:କୋହଳ ହେଲା ଆବେଦନ ବୟସ ସୀମା

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ସରକାରୀ କଲେଜ ଅଧ୍ୟାପକ ପଦବୀ ପୂରଣ ପାଇଁ ବୟସସୀମା ବୃଦ୍ଧି କରାଯାଇଛି। ଏଣିକି ୩୩ ବର୍ଷ ପରିବର୍ତ୍ତେ ୪୮ ବର୍ଷ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାକିରି ପାଇଁ ଆବେଦନ କରିପାରିବେ। ୧୯୯୦ ଓଡ଼ିଶା ଶିକ୍ଷା ସେବା(କଲେଜ ଶାଖା) ଚୟନ ନିୟମ ଓ ଏହା ପରବର୍ତ୍ତୀ ସଂଶୋଧନ ଅଧିନିୟମ ଅନୁସାରେ କଲେଜ ଅଧ୍ୟାପକ ପଦବୀ ପୂରଣ ପାଇଁ ଆବେଦନ କରିବା ସକାଶେ ପ୍ରାର୍ଥୀ ସମ୍ପୃକ୍ତ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ସହିତ ପିଏଚ୍‌.ଡି., ନେଟ୍‌ ଯୋଗ୍ୟତାକୁ ବାଧ୍ୟତାମୂଳକ କରାଯାଇଛି। ଅଧିକ ଯୋଗ୍ୟତା ହାସଲ ପାଇଁ ବହୁ ସମୟ ଲାଗୁଥିବାରୁ ପ୍ରାର୍ଥୀଙ୍କର ସର୍ବୋଚ୍ଚ ବୟସସୀମା ୪୮ ବର୍ଷ ପର୍ଯ୍ୟନ୍ତ କୋହଳ କରାଯାଇଛି। ରାଜ୍ୟ ସରକାର ସରକାରୀ ଡିଗ୍ରୀ କଲେଜରେ ଖାଲିଥିବା ୬୦୬ ଅଧ୍ୟାପକ ପଦବୀ ପୂରଣ କରିବାକୁ ୨୦୧୯ ଅକ୍ଟୋବର ପହିଲାରେ ଓଡ଼ିଶା ଲୋକସେବା ଆୟୋଗକୁ ଜଣାଇଛନ୍ତି। ତେବେ ଏହି ପଦବୀ ପାଇଁ ଆବଶ୍ୟକ ପ୍ରାର୍ଥୀଙ୍କ ସଂଖ୍ୟା କମିବା ଦୃଷ୍ଟିରୁ ଏହି ବୟସସୀମାକୁ ବୃଦ୍ଧି କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା କଲେଜ, ହୋମିଓପ୍ୟାଥିକ ଓ ଆୟୁର୍ବେଦିକ କଲେଜରେ ଅଧ୍ୟାପକ ପଦବୀ ପୂରଣ ପାଇଁ ସର୍ବୋଚ୍ଚ ବୟସସୀମା ୪୫ ବର୍ଷ ରଖାଯାଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ମଙ୍ଗଳବାର କ୍ୟାବିନେଟ୍‌ ଅନୁମୋଦନ କରିଛି।
ପୁରୀ ଜିଲାର ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯାଇଛି। ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ଏହାକୁ ସତ୍ୟବାଦୀର ବନ ବିଦ୍ୟାଳୟରେ ପ୍ରତିଷ୍ଠା କରିବାକୁ ଐତିହ୍ୟ ରାଜ୍ୟ ମନ୍ତ୍ରିମଣ୍ଡଳ ବୈଠକରେ ନିଷ୍ପତ୍ତି କରାଯାଇଥିଲା। ଓଡ଼ିଆ ଭାଷା ଓ ସଂସ୍କୃତି ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁର କରିଛି। ସତ୍ୟବାଦୀରେ ଏହାକୁ ସ୍ଥାପନ କରିବା ଦ୍ୱାରା ବକୁଳବନର ପ୍ରାକୃତିକ ଶୋଭାରାଜି ସୁରକ୍ଷିତ ରହିବା ସହ ଏହା ଏକ ଅବିସ୍ମରଣୀୟ ଐତିହ୍ୟର ସ୍ମାରକୀ ରୂପେ ପରିଗଣିତ ହେବ।

Share