ସରକାରୀ କାର୍ଯ୍ୟରେ ପାରିଶ୍ରମିକ ପାଇ ନ ଥିବା ଡ୍ରାଇଭରଙ୍କ ଧାରଣା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ନିର୍ବାଚନ, ଭିଭିଆଇପିଙ୍କ ସୁରକ୍ଷା ଓ କାରକେଡ୍‌ ଭଳି ବିଭିନ୍ନ ସରକାରୀ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଘରୋଇ ଗାଡ଼ିକୁ ନିୟୋଜିତ କରାଯାଉଛି। ଏଥିନିମନ୍ତେ ଆରଟିଓ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଘରୋଇ ଗାଡ଼ିକୁ କିଛିଦିନ ପାଇଁ ଅଧିଗ୍ରହଣ କରାଯାଉଛି। ନିୟୋଜିତ ହେଉଥିବାର ଗାଡ଼ିର ଭଡ଼ା, ଡ୍ରାଇଭରମାନଙ୍କୁ ପାରିଶ୍ରମିକ, ଖାଦ୍ୟ ବାବଦରେ ଅର୍ଥ ଦିଆଯିବାର ବ୍ୟବସ୍ଥା ରହିଛି। କିନ୍ତୁ ତାହା ଠିକ୍‌ ଭାବେ ହେଉ ନ ଥିବା ଏବଂ ବକେୟା ଅର୍ଥ ମିଳି ନ ଥିବା ଅଭିଯୋଗ କରି ବହୁ ଘରୋଇ ଗାଡ଼ିର ଡ୍ରାଇଭର ବୁଧବାର ରାସ୍ତାକୁ ଓହ୍ଲାଇଥିଲେ। ରିଜର୍ଭ ପଡିଆ ଗେଟ ସମ୍ମୁଖ ଜୟଦେବ ବିହାର-ଏଜି ଛକ ମୁଖ୍ୟରାସ୍ତାକୁ କିଛି ସମୟ ପାଇଁ ସେମାନେ ଅବରୋଧ କରିବା ଫଳରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ଉପରିସ୍ଥ ପୋଲିସ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆସନ୍ତା ଶୁକ୍ରବାର ଭୁବନେଶ୍ୱର ଆସୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା। ଏହା ପୂର୍ବରୁ ଘରୋଇ ଗାଡ଼ି ଡ୍ରାଇଭରମାନେ ପ୍ରତିବାଦ କରି ମନଇଚ୍ଛା ଗାଡ଼ି ଅଧିଗ୍ରହଣକୁ ବିରୋଧ କରିଛନ୍ତି। ଡ୍ରାଇଭର ଅକ୍ଷୟ ମହାପାତ୍ର କହିଛନ୍ତି ଯେ, ଗତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ୍‌ରେ ନିୟୋଜିତ ହୋଇଥିଲୁ। ହେଲେ ଆଜି ପର୍ଯ୍ୟନ୍ତ ପାରିଶ୍ରମିକ ମିଳିନାହିଁ। ସରକାରୀ ଅଫିସ୍‌ ଗୁଡ଼ିକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛି ବୋଲି ସେ କହିଛନ୍ତି। ସୂଚନାଥାଉ କି, ଆସନ୍ତା ଶୁକ୍ରବାର ପୂର୍ବାଞ୍ଚଳ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଆରଟିଓଙ୍କ ପକ୍ଷରୁ ୧୦୦ରୁ ଊର୍ଦ୍ଧ୍ୱ ଗାଡି ଅଧିଗ୍ରହଣ କରାଯାଉଛି। କିନ୍ତୁ ଠିକ୍‌ ଭାବେ ପାରିଶ୍ରମିକ ଓ ଖାଦ୍ୟ ବ୍ୟବସ୍ଥା କରାଯାଉ ନ ଥିବାରୁ ଗାଡ଼ି ଡ୍ରାଇଭର ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଥିଲେ।

Share