ଭଞ୍ଜନଗର ଆର୍‌ଟିଓ ଅଫିସ ପରିସରରୁ ୪ ଗିରଫ

ଭଞ୍ଜନଗର,୨୭।୯(ଡି.ଏନ.ଏ.): ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଦଲାଲଙ୍କ ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି। ଦଲାଲ ଲାଭବାନ ହେଉଥିବାବେଳେ ଲୋକେ ଖର୍ଚ୍ଚାନ୍ତ ହେଉଛନ୍ତି। ଦଲାଲ ଦ୍ୱାରା ଲାଭଖୋର କିଛି କର୍ମଚାରୀ ମଧ୍ୟ ଲାଭବାନ ହେଉଥିଲେ। ଏହିଭଳି ପରିସ୍ଥିତିରେ ରାଜ୍ୟ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ମେଡ଼ିକାଲ, ଆର୍‌ଟିଓ ସମେତ ପ୍ରମୁଖ କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ଦଲାଲମାନେ ଯେଉଁ କାର୍ଯ୍ୟ କରୁଥିଲେ ତାହା ସରକାରୀ କର୍ମଚାରୀମାନେ କେତେଦୁର ଲୋକଙ୍କ ପାଇଁ ନିସ୍ବାର୍ଥପର ଭାବେ କରୁଛନ୍ତି ତାହା ଦେଖିବା କଥା। ଯଦି କର୍ମଚାରୀମାନେ ବିନା ଦଲାଲରେ ଅଶିକ୍ଷିତ ଲୋକଙ୍କୁ ସାହାର୍ଯ୍ୟ ଯୋଗାଇ ଦେବେ ସରକାରଙ୍କ ଲକ୍ଷ୍ୟ ସାଧନ ହୋଇପାରିବ। ଏହିଭଳି ପରିସ୍ଥିତିରେ ଭଞ୍ଜନଗର ପୋଲିସ ଶୁକ୍ରବାର ଭଞ୍ଜନଗର ଆର୍‌ଟିଓ ଅଫିସ ପରିସରରେ ଚଢ଼ାଉ କରି ୪ ଦଲାଲଙ୍କୁ ଗିରଫ କରିଛି। ଚଢ଼ାଉ ଦେଖି ଅନ୍ୟ ଦଲାଲମାନେ ଦୌଡ଼ି ପଳାଇଥିଲେ। ଚଢ଼ାଉ ସମୟରେ କାର୍ଯ୍ୟାଳୟରେ ଆରଟିଓ ସମେତ ଆଉ କିଛି କର୍ମଚାରୀ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡ଼ିଆରେ ଡ୍ରାଇଭିଙ୍ଗ୍‌ ପରୀକ୍ଷାରେ ବ୍ୟସ୍ତ ଥିଲେ। ଭଞ୍ଜନଗର ସହରର ଅନେକ ସରକାରୀ କାର୍ଯ୍ୟାଳୟରେ ଦଲାଲମାନଙ୍କ ପ୍ରାର୍ଦୁଭାବ ବଢ଼ିଯାଇଛି। ପୋଲିସ ଏମାନଙ୍କୁ କେତେଦୂର ଦମନ କରିବାରେ ସକ୍ଷମ ହେଉଛି ତାହା ସମୟ କହିବ। କିନ୍ତୁ ସରକାରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପ୍ରଶାସନ ପକ୍ଷରୁ ଏହି ଯେଉଁ ପଦକ୍ଷେପ ନିଆଯାଇଛି ତାହା ସ୍ବାଗତଯୋଗ୍ୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Share