ସରକାରୀ କାର୍ଯ୍ୟାଳୟରେ ଗଡୁଛି ବିଦ୍ୟୁତ୍‌ ବିଲ୍‌: ୩୯ ବିଭାଗର ବକେୟା ପଡ଼ିଛି ୨ କୋଟି ୭୭ ଲକ୍ଷ

ନୟାଗଡ଼ ଅଫିସ,୩୦।୧୧-ଘରୋଇ ହେଉ କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନରେ ଗୋଟିଏ ମାସରୁ ଅଧିକ ଦିନ ବିଲ୍‌ ପୈଠ ନ ହେଲେ ପର ଦିନ ବିଦ୍ୟୁତ୍‌ ବିଭାଗ ସଂଯୋଗ କାଟି ଦେଇଥାଏ। ଫଳରେ ବିଦ୍ୟୁତ୍‌ ଉପଭୋକ୍ତା ବିନା ବିଦ୍ୟୁତ୍‌ରେ ହନ୍ତସନ୍ତ ହୁଅନ୍ତି। ହେଲେ ଜିଲାର ବିଭିନ୍ନ ବିଭାଗରେ କୋଟି କୋଟି ଟଙ୍କାର ବିଦ୍ୟୁତ ବିଲ୍‌ ପୈଠ ନ ହୋଇ ବାକି ପଡିଥିବା ବେଳେ ସେମାନଙ୍କ ଉପରେ କିନ୍ତୁ ବିଦ୍ୟୁତ୍‌ ବିଭାଗର କୌଣସି କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିନାହିଁ। ନୟାଗଡ଼ ଜିଲା ସେସୁ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଜିଲାର ୩୯ ବିଭାଗରେ ୨ କୋଟି ୭୭ ଲକ୍ଷ ୨୯ ହଜାର ୯୩୦ ଟଙ୍କା ବିଦ୍ୟୁତ ବିଲ୍‌ ବକେୟା ପଡ଼ିଛି। ଏମାନଙ୍କର କିନ୍ତୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଉ ନାହିଁ । ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୬୭ ଲକ୍ଷ ୩୦ ହଜାର ୮୪୯ ଟଙ୍କା ବିଲ୍‌ ଗଡ଼ୁଥିବା ବେଳେ ଏହା ପଛକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୪୦ ଲକ୍ଷ ୪୮ ହଜାର ୫୫୫ ଟଙ୍କା, ଜନସ୍ବାସ୍ଥ୍ୟ ବିଭାଗର ୪୦ ଲକ୍ଷ ୨୩ ହଜାର ୪୨୫ ଟଙ୍କା, ପଞ୍ଚାୟତିରାଜ ବିଭାଗର ୨୯ ଲକ୍ଷ ୯୮ ହଜାର ୩୩୮ ଟଙ୍କା, ଦେବୋତ୍ତର ବିଭାଗର ୧୮ ଲକ୍ଷ ୯୮ ହଜାର ୩୮୧ ଟଙ୍କା, ଗୃହ ବିଭାଗର ୧୪ ଲକ୍ଷ ୫୭ ହଜାର ୮ ଟଙ୍କା ଭଳି ୩୯ଟି ବିଭାଗର ୨ କୋଟି ୭୭ ଲକ୍ଷ ୨୯ ହଜାର ୯୩୦ ଟଙ୍କା ବିଦ୍ୟୁତ ବିଲ୍‌ ବକେୟା ରହିଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ଏତେ ଟଙ୍କା ବିଭାଗ କିପରି ଆଦାୟ କରି ନାହିଁ। ଏ ନେଇ ସେସୁ ନିର୍ବାହୀ ଯନ୍ତ୍ରୀ ସୁଜିତ୍‌ କୁମାର ସାହୁଙ୍କୁ ପଚାରିବାରୁ କୁହନ୍ତି, ବିଭିନ୍ନ ବିଭାଗର ବଳକା ଟଙ୍କା ଥିବା ନେଇ ସେମାନଙ୍କୁ କୁହାଯାଉଛି। ଦେବୋତ୍ତର ଓ ଶିକ୍ଷାବିଭାଗ ଠିକ୍‌ ସମୟରେ ବିଲ୍‌ କ୍ଲିୟର କରୁ ନ ଥିବା ବେଳେ ଅନ୍ୟମାନେ ଠିକ୍‌ ସମୟରେ ବିଲ୍‌ ପଇଠ କରୁଥିବା ନେଇ ସେ ପ୍ରକାଶ କରିଥିଲେ। ଶିକ୍ଷା ବିଭାଗର ବିଲ୍‌ ନ ମିଳିଥିବାରୁ ଶିକ୍ଷା କାର୍ଯ୍ୟାଳୟକୁ ୭ ଦିନ ଧରି ବିଦ୍ୟୁତ୍‌ ସେବା ବନ୍ଦ କରାଯାଇଥିଲା । ତଥାପି ସେମାନେ ବଳକା ଟଙ୍କା ପଇଠ କଲେ ନାହିଁ। ପରେ ବାଧ୍ୟ ହୋଇ ବିୁଦ୍ୟତ୍‌ ବିଭାଗ ଶିକ୍ଷା କାର୍ଯ୍ୟାଳୟକୁ ଲାଇନ୍‌ ସଂଯୋଗ କରିଥିଲା।

Share