ସରକାରୀ କ୍ୱାର୍ଟର୍ସ ପଛରୁ ୨ ବୋମା ଜବତ

ଭୁବନେଶ୍ୱର, ୨୧।୫(ବ୍ୟୁରୋ): ଖାରବେଳନଗର ଥାନା ଅନ୍ତର୍ଗତ ୟୁନିଟ୍‌-୯ସ୍ଥିତ ଗୋପବନ୍ଧୁ ସ୍କୁଲ ନିକଟ ସରକାରୀ କ୍ୱାର୍ଟର୍ସ ନଂ.୨ଆରଏ୨୫ ପଛରୁ ପୋଲିସ ଦୁଇଟି ଅଫୁଟା ବୋମା ଜବତ କରିଛି। ଏକ ବ୍ୟାଗ୍‌ରେ ଥିବା ଦୁଇଟି ବୋମାକୁ ଡଷ୍ଟବିନ ଭିତରେ ଲୁଚାଇ ରଖାଯାଇଥିଲା। ସକାଳୁ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଏହ ଦେଖି ଅନ୍ୟମାନଙ୍କୁ ଜଣାଇବା ପରେ ଆଖ ପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ପୋଲିସ ଟିମ୍‌ ସହ ପହଞ୍ଚତ୍ ଥାନାଧିକାରୀ ନିଜେ ଏକ ବାଉଁଶ ସହାୟତାରେ ବୋମା ବ୍ୟାଗ୍‌କୁ ଉଠାଇ ଆଣି ପାଣି ବାଲ୍‌ତି ଭିତରେ ପୂରାଇ ଦେଇଥିଲେ। ପରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ଉକ୍ତ ବୋମାକୁ ଜବତ କରିଥିଲେ। ତେବେ କିଏ, କେଉଁ ଉଦ୍ଦେଶ୍ୟରେ ସେଠାରେ ବୋମା ରଖିଥିଲା ତାହାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଏ ସଂକ୍ରାନ୍ତରେ ଯେଉଁ ଘର ନିକଟରୁ ବୋମା ମିଳିଥିଲା ତାହାର ମାଲିକଙ୍କ ସମେତ ଆଖପାଖ ଅଞ୍ଚଳର ଲୋକଙ୍କୁ ପଚରାଉଚରା କରିଥିଲା। ହେଲେ ବୋମା ବିଷୟରେ କେହି କିଛି ଜାଣି ନ ଥିବା କହିଥିଲେ। ଏହି ଘଟଣାରେ ପୋଲିସ ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନର ଫଳଫଳ ଆସିବାର ରହିଛି। କୌଣସି ରାଜନୈତିକ ଦଳ କିମ୍ବା ରାଜନୈତିକ ଶତ୍ରୁତାକୁ ନେଇ ବିରୋଧୀ କ୍ୟାମ୍ପ ଉପରେ ବୋମା ପକାଇବା ପାଇଁ ଯୋଜନା କରାଯାଇଥିବା ସନ୍ଦେହ କରାଯାଉଛି।

Share