ସରକାରୀ, ଘରୋଇ ସଂସ୍ଥାରେ ନାହିଁ କ୍ରେଚ୍‌ : ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ୨୦୧୭ ମାତୃତ୍ୱ ଆଇନ ଅନୁସାରେ ସରକାରୀ ଓ ବେସରକାରୀ ସଂସ୍ଥା କାର୍ଯ୍ୟାଳୟରେ କ୍ରେଚ୍‌ ବ୍ୟବସ୍ଥା ରଖିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ହେଲେ ଏହି ଆଇନକୁ ପାଳନ କରାଯାଉନାହିଁ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ୬ଜଣ ମାନବିକ ଅଧିକାର କର୍ମୀ ଓଏଚ୍‌ଆର୍‌ସିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାତୃତ୍ୱ ଅଧିକାର ଆଇନ ଧାରା-୧୧(କ) ଅନୁସାରେ ସର୍ବନିମ୍ନ ୫୦ କର୍ମଚାରୀ ଥିବା ସଂସ୍ଥା ମହିଳା କର୍ମଚାରୀଙ୍କ ନବଜାତ ଶିଶୁଙ୍କ ଯତ୍ନ ପାଇଁ କ୍ରେଚ୍‌ ବ୍ୟବସ୍ଥା କରିବ। ଯେଉଁଥିରେ ସ୍ବତନ୍ତ୍ର ଶୌଚାଳୟ, ଖେଳଣା ଓ ଆବଶ୍ୟକ ଜରୁରୀ ସେବା ଉପଲବ୍ଧ ରହିବ। କିନ୍ତୁ ଓଡିଶାରେ ଘରୋଇ ସଂସ୍ଥା ତ ଦୂରର କଥା ରାଜ୍ୟ ସରକାର ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ରାଜ୍ୟ ମହିଳା କମିଶନ, ଓଏଚ୍‌ଆର୍‌ସି କାର୍ଯ୍ୟାଳୟ ଥିବା ତୋଷାଳିଭବନଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ କୌଣସି ସରକାରୀ କାର୍ଯ୍ୟାଳୟରେ କ୍ରେଚ୍‌ ବ୍ୟବସ୍ଥା ନାହିଁ। କ୍ରେଚ୍‌ ବ୍ୟବସ୍ଥା ତୁରନ୍ତ କରିବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେବାକୁ ମାନବିକ ଅଧିକାର କର୍ମୀ ବିଶ୍ୱପ୍ରିୟ କାନୁନ୍‌ଗୋ, ବିଜୟ କୁମାର ପଣ୍ଡା, ସୁବାଶିଷ ପଣ୍ଡା, ଗାଲେକ ପ୍ରସାଦ ନାୟକ, ସୁବ୍ରତ ମହାପାତ୍ର ଓ ପ୍ରକାଶ ଚନ୍ଦ୍ର ଦାସ ନିବେଦନ କରିଛନ୍ତି।

Share