ସରକାରୀ ଚାଉଳ ଜବତ ଘଟଣା:କ୍ଲିନଚିଟ୍‌ ଦେଲା ଯାଞ୍ଚ କମିଟି

ତିହିଡି,୯।୧(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ବଜାରରୁ ୧୨୦ କୁଇଣ୍ଟାଲ ସରକାରୀ ଚାଉଳ ଜବତ ଘଟଣାର ତଦନ୍ତ ପରେ ଯାଞ୍ଚ କମିଟି କ୍ଲିନଚିଟ୍‌ ଦେଇଛି। ଗୁରୁବାର ପୂର୍ବାହ୍ନ ୧୧ଟାଠାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୪ ଘଣ୍ଟା ଧରି ତଦନ୍ତ କରାଯିବା ପରେ ଚାଉଳ ଠିକ୍‌ ଥିବା ଜଣାପଡ଼ିଥିଲା। ଜବତ ହୋଇଥିବା ଚାଉଳ ଶିଶୁ ବିକାଶ ଯୋଜନାର ବୋଲି ଯାଞ୍ଚ କମିଟି ସ୍ପଷ୍ଟ କରିଛି। ଚାଉଳ ଘରୋଇ ଗୋଦାମରେ କାହିଁକି ରଖାଯାଇଥିଲା ତାହାର ତଦନ୍ତ କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
ଉଲ୍ଲେଖନୀୟ ଯେ, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ସମାଜ ମଙ୍ଗଳ ଅଧିକାରୀ ଆଶାଲତା ମହାନ୍ତି, ଜିଲା ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ରଞ୍ଜନ ମହାପାତ୍ର, ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ବ୍ଲକ ଯୋଗାଣ ନିରୀକ୍ଷକ ହରିପ୍ରିୟା ସାହୁ ଓ ସିଡିପିଓ ଇନ୍ଦୁରେଖା ନାୟକ ଘଟଣାର ତଦନ୍ତ କରିଛନ୍ତି। କାଗଜପତ୍ର ଅନୁଯାୟୀ ୮୪୦ ବସ୍ତା ଚାଉଳ ଗୋଦାମରେ ମହଜୁଦ ରହିବା କଥା। ତଦନ୍ତ ବେଳେ ମାତ୍ର ୫ ବସ୍ତା ଚାଉଳ ଅଧିକ ଥିବା ଜଣାପଡ଼ିଥିଲା। କୌଣସି ଅନିୟମିତତା ପରିଲକ୍ଷିତ ହୋଇ ନ ଥିବାରୁ ଯାଞ୍ଚ କମିଟି ପକ୍ଷରୁ କ୍ଲିନଚିଟ ଦିଆଯାଇଛି। ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଥିଲାବେଳେ ଗୁରୁବାର ମଧ୍ୟ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଭାଜପା ନେତା ଓ କର୍ମୀମାନେ ଧାରଣା ଦେଇଥିଲେ। ଜିଲା ଉପସଭାପତି ଦୁର୍ଗାଚରଣ ନାୟକ, ମଣ୍ଡଳ ସଭାପତି ପ୍ରଦୀପ ବଳ, ସାଧାରଣ ସମ୍ପାଦକ ପ୍ରତାପ ଜେନା, ରଘୁନାଥ ପାତ୍ର, ସମିତିସଭ୍ୟ ଶୁଭ୍ରନାରାୟଣ ସେଠୀ, ଅଜୟ ମହାପାତ୍ର, ସୁରେନ୍ଦ୍ର ନାୟକ, ନିଶିକାନ୍ତ ଭଟ୍ଟରାୟ ପ୍ରମୁଖ ଯାଞ୍ଚ ସମୟରେ ଉପସ୍ଥିତ ରହିଥିଲେ। ବ୍ୟକ୍ତିଗତ ଘରେ ଚାଉଳ କାହିଁକି ରଖାଯାଇଥିଲା ସେନେଇ ତଦନ୍ତ କରିବାକୁ ଦାବି ଜଣାଇଥିଲେ। ସେନେଇ ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲା ସମାଜ ମଙ୍ଗଳ ଅଧିକାରୀ କହିଛନ୍ତି।