ସରକାରୀ ତାଲିମ ପାଇଁ ବସ୍ତ୍ରାଳୟରୁ ସିସିଟିଭି ଭଡ଼ାନେବା ଘଟଣା: ୭୦ହଜାର ଟଙ୍କା ଫେରାଇବାକୁ ଡିପିସିଙ୍କ ନିର୍ଦ୍ଦେଶ

ବଡ଼ସାହି,୨୩ା୧୦(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଉଜ୍ଜ୍ୱଳ ଓ ଉତ୍‌ଥାନ ତାଲିମ କେନ୍ଦ୍ରରେ ସିସିଟିଭି ଲଗାଇବା ବ୍ୟବସ୍ଥାରେ ବ୍ୟାପକ ଅନିୟମିତତା ହୋଇଛି। ବଜାରରେ ଥିବା ଏକ ବସ୍ତ୍ରାଳୟରୁ ସିସିଟିଭି ଭଡ଼ାରେ ଆଣି ତାଲିମ କେନ୍ଦ୍ରରେ ଲଗାଇ ବିଲ୍‌ ପୈଠ କରିଥିବା ଘଟଣାକୁ ନେଇ ବିଇଓଙ୍କ କାର୍ଯ୍ୟାଳୟର ଅଧିକାରୀ ସନ୍ଦେହ ଘେରକୁ ଆସିଥିଲେ ା ଏ ନେଇ ଗତ ସେପ୍ଟେମ୍ବର ୩୦ତାରିଖ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ବିଲ୍‌ରେ ଦର୍ଶାଇଯାଇଥିବା ଜିଏସ୍‌ଟି ୧୮ପ୍ରତିଶତ ପରିବର୍ତ୍ତେ ୧୨ପ୍ରତିଶତ ପ୍ରଦାନ କରାଯାଇଥିବା ଅନିୟମିତତା ସମ୍ପର୍କରେ ତଦନ୍ତ କରାଯାଇ ବେନିୟମ ଭାବେ ଖର୍ଚ୍ଚ କରାଯାଇଥିବା ଅର୍ଥକୁ ଫେରସ୍ତ ଦେବାକୁ ଡିପିସି ନିର୍ଦ୍ଦେଶ ଦେଇଛନ୍ତି ା
ସୂଚନା ଅନୁଯାୟୀ, ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଗତ ଫେବୃୟାରୀ ୨ରୁ ୨୮ତାରିଖ ମଧ୍ୟରେ ବିଇଓଙ୍କ କାର୍ଯ୍ୟାଳୟ ଅଧୀନରେ ମୋଟ ଉଜ୍ଜ୍ୱଳରେ ୧୦ଟି ଓ ଉତ୍‌ଥାନରେ ୪ଟି ୪ଦିନିଆ କରି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ା ଉକ୍ତ ତାଲିମ ସମ୍ପର୍କିତ ସମସ୍ତ ଘଟଣାରେ ସ୍ବଚ୍ଛତା ଆଣିବା ପାଇଁ ସିସିଟିଭି ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଥିଲା ା ଏହାକୁ ନେଇ ବିଇଓ କାର୍ଯ୍ୟାଳୟ ପକ୍ଷରୁ ଭଡ଼ାସୂତ୍ରରେ ସିସିଟିଭି କ୍ୟାମେରା ଅଣାଯାଇ ଲଗାଯାଇଥିଲା। ଭଡ଼ାରେ ଆସିଥିବା ସିସିଟିଭି ତଥା ଅନ୍ୟାନ୍ୟ ସାମଗ୍ରୀ ବିଲ୍‌ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିିବା ପରେ ଏହା ଲୋକଲୋଚନକୁ ଆସିଥିଲା ା ବଡ଼ସାହି ବଜାରରେ ଥିବା ଏକ ବସ୍ତ୍ରାଳୟରୁ ଏହିସବୁ ସାମଗ୍ରୀ ଭଡ଼ାରେ ଅଣାଯାଇ ଶିବିର ପ୍ରତି ୭ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବିଲ୍‌ରୁ ଜାଣିବାକୁ ମିଳିଥିଲା ା ତେବେ ବସ୍ତ୍ରାଳୟ ଭଳି ଏକ ବ୍ୟବସାୟ ପ୍ରତିଷ୍ଠାନରୁ ଯାନ୍ତ୍ରିକ ସାମଗ୍ରୀ ଭଡ଼ାରେ ଆଣି ଜିଏସ୍‌ଟି ବିଲ୍‌ ପୈଠ କରିବାରେ ସନ୍ଦେହ ଉପୁଜିଛି ା ତାଲିମ ବାବଦକୁ ୯୮ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ବିଇଓଙ୍କ କାର୍ଯ୍ୟାଳୟରୁ ଏକ ବିବରଣୀ ଡିପିସିଙ୍କ କାର୍ଯ୍ୟାଳୟକୁ ଦିଆଯାଇଥିଲା। ଡିପିସି ଏହାର ତଦନ୍ତ କରି ୭୦ହଜାର ଟଙ୍କା ବେନିୟମ ଖର୍ଚ୍ଚ ହୋଇଥିବା ଦର୍ଶାଇଛନ୍ତି ଏବଂ ଚିଠି ନମ୍ବର ୩୨୮୭ରେ ୭୦ହଜାର ଟଙ୍କା ଫେରାଇବାକୁ ଆଦେଶ ଦେଇଛନ୍ତି ା