ଓଡ଼ଗାଁ, ୧।୫(ସ୍ବ. ପ୍ର. ): ନୟାଗଡ଼ ଜିଲା ଓଡ଼ଗାଁରେ ଶ୍ରମିକ ଦିବସ ଅର୍ଥାତ୍ ମେ’ ୧ରେ ଶ୍ରମିକଙ୍କ ବଦଳରେ ଜେସିବି ଦ୍ୱାରା ପୋଖରୀ ଖୋଳା ଚାଲିଥିବା ଦେଖିବାକୁ ମିଳୁଛି। କରୋନା ମୁକାବିଲା ପାଇଁ ଲୋକଙ୍କୁ ରୋଜଗାରକ୍ଷମ କରିବାକୁ ଶ୍ରମଦିବସ ସୃଷ୍ଟି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେଲେ ଏହି ନିର୍ଦ୍ଦେଶକୁ ଫୁ’କରି ଓଡଗାଁ ବ୍ଲକର କରାପିଠା, ରହିବାଙ୍କ ଜିପିରେ ଜେସିବି ପୋଖରୀ ଖୋଲୁଥିବା ଅଭିଯୋଗ ହେବା ପରେ ବ୍ଲକ ପ୍ରଶାସନ ଏହାକୁ ବନ୍ଦ କରିଥିବା ସୂଚନା ମିଳିଛି।
ଶୁକ୍ରବାର ସକାଳୁ ପୁଣି ଥରେ ନନ୍ଦିଘୋର ଜିପି ଓସ୍ତିଆ ଗ୍ରାମରେ ଶ୍ରମିକ ବଦଳରେ ଜେସିବି ଦ୍ୱାରା ପୋଖରୀ ଖୋଳାଯାଉଥିବା ଦେଖିବାକୁ ମିଳିଥିଲା। ଏ ନେଇ କୌଣସି ମାଷ୍ଟର ରୋଲ ବାହାରି ନ ଥିବା କଥା ବ୍ଲକ ସହକାରୀ ଯନ୍ତ୍ରୀ ଇ. ଶରତ କୁମାର ମଲ୍ଲିକ, କାର୍ଯ୍ୟକ୍ରମ ଅଧିକାରୀ, ସରପଞ୍ଚ ପ୍ରତିନିଧି ପ୍ରକାଶ କରିଥିଲେ। ହେଲେ ପୋଖରୀ ଖୋଳା ଯାଉଥିବା ଫଟୋ ଦେଖିବା ପରେ ସେମାନେ ଏ ନେଇ ଆଶ୍ଚର୍ଯ୍ୟ ହୋଇଥିଲେ। ଏ ସମ୍ପର୍କରେ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟଙ୍କ ମତାମତ ନେବାରେ ସେ ଏ ନେଇ ତଦନ୍ତ କରିବାକୁ କହିଛନ୍ତି।